ମୁଖ୍ୟ ଖବର

ଆଉ ନାହାନ୍ତି ଭାରତର ଇସ୍ପାତ ପୁରୁଷ, ୮୬ ବର୍ଷ ବୟସରେ ଟାଟା ଷ୍ଟିଲର ଏମ୍‌ଡି ଜାମସେଦ ଜେ ଇରାନୀଙ୍କ ପରଲୋକ

By Angul TV Bureau

November 01, 2022

ନୂଆଦିଲ୍ଲୀ : ଆଉ ନାହାନ୍ତି ଭାରତର ଇସ୍ପାତ ପୁରୁଷ। ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମ୍‌ଡି) ତଥା ଭାରତର ଷ୍ଟିଲ ମ୍ୟାନ୍‌ ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ପରଲୋକ ହୋଇଛି। ଜାମସେଦପୁରସ୍ଥିତ ଟାଟା ମେନ ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଟାଟା ଷ୍ଟିଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜାମସେଦ ଜେ ଇରାନୀ ଟାଟା ଷ୍ଟିଲ ବୋର୍ଡରୁ ଜୁନ୍‌ ୨୦୧୧ରେ ଅବସର ନେଇଥିଲେ।

ତାଙ୍କ ପରଲୋକରେ ଟାଟା ଷ୍ଟିଲ୍ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। କମ୍ପାନୀ କହିଛି, ଭାରତର ଷ୍ଟିଲ ମ୍ୟାନଙ୍କ ନିଧନ ହୋଇଛି। ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ବିୟୋଗରେ ଆମେ ମର୍ମାହତ ଏବଂ ଦୁଃଖିତ। ସେ ଦେଶର ଇସ୍ପାତ ପୁରୁଷ ବା ଷ୍ଟିଲ୍ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ। ଟାଟା ଷ୍ଟିଲ୍ ପରିବାର ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି। ୩୧ ଅକ୍ଟୋବର ରାତି ୧୦ଟାରେ ଜାମସେଦପୁରର ଟାଟା ହସପିଟାଲରେ ତାଙ୍କ ବିୟୋଗ ହୋଇଛି।

ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୭ରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ଇରାନୀ ୧୯୬୮ରେ ଟାଟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀରେ ସାମିଲ ହେବା ପରେ ଭାରତ ଫେରିଥିଲେ। ସେ ଟାଟା ଷ୍ଟିଲର ସହାୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ୧୯୭୯ରେ ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଥିଲେ ଏବଂ ୧୯୮୫ରେ ସଭାପତି ହୋଇଥିଲେ ଇରାନୀ। ୧୯୯୨ରୁ ୨୦୦୧ ଜୁଲାଇ ଯାଏଁ ସେ ଟାଟାର ପରିଚାଳକ ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇଥିଲେ। ଭାରତୀୟ ଶିଳ୍ପ, ଇସ୍ପାତ କାରବାର ଏବଂ ଟାଟା ପ୍ରତି ଇରାନୀଙ୍କ ଅବଦାନ ଅତୁଳନୀୟ।