ଅନୁଗୁଳ: ମେ ମାସ ସରିବାକୁ ବସିଲାଣି କିନ୍ତୁ ଅନୁଗୁଳ ବଜାରରେ ଜାମୁ କୋଳି ଆଉ ଆଗ ଭଳି ଦେଖିବାକୁ ମିଳୁନାହିଁ। ଜାମୁ କୋଳି ଯେଭଳି ସୁଆଦିଆ ସେଭଳି ଗୁଣ କାରକ। ଆୟୁର୍ବେଦରେ ଏହାର ବିଭିନ୍ନ ପ୍ରୟୋଗ ବିଧି ରହିଛି। ଜାମୁ ଉଷ୍ଣ ଜଳବାୟୁ,ପାଣି ଜମି ରହୁଥିବା ଜମି ଏବଂ ଦୋରସା ମାଟିରେ ଭଲ ହୁଏ। କିନ୍ତୁ କାହିଁକି ଆମ୍ବ ଭଳି ଆଉ ଜାମୁ ଗଛ ଦେଖିବାକୁ ମିଳୁନାହିଁ।
ବର୍ତ୍ତମାନ ଅନୁଗୁଳ ବଜାରରେ ଜାମୁ କିଲୋ ତିନି ଶହ ଟଙ୍କାରେ ପହଞ୍ଚିଲାଣି। ମଞ୍ଜିରୁ ଗଛ ଥିଲେ ତାହା ୧୦ ବର୍ଷରେ ଫଳ ଦେଵ କିନ୍ତୁ କଲମୀ ଗଛ ଥିଲେ ତିନି-ଚାରି ବର୍ଷରେ ଫଳ ଧରିବ। ଜାମୁ ଓଡ଼ିଶାର ମୟୂରଭଞ୍ଜ କୋରାପୁଟ ଜିଲ୍ଲାରେ ବେଶୀ ଦେଖାଯାଏ। ଅନୁଗୁଳ ଜିଲ୍ଲାରେ ମଧ୍ୟ ବିଂଶ ଶତାବ୍ଦୀର ଶେଷ ଭାଗରେ ବହୁ ଜାମୁ ଗଛ ଥିଲା। ବିଶେଷ କରି ରାସ୍ତା କଡ଼ରେ ଏହାକୁ ଲଗା ଯାଉଥିଲା।
ଖୁସିର ବିଷୟ ଏବେ ସରକାର ରାସ୍ତାରେ ମହୁମାଛି ପାଳନ କରିବା ସହ ବିଭିନ୍ନ ଗଛ ଲଗାଇବେ ବୋଲି ସ୍ଥିର କରିଛନ୍ତି। ଏଥିରେ ଜାମୁ ଗଛ ଲଗାଯିବାର କାର୍ଯ୍ୟକ୍ରମ ଅଛି।ଜାମୁ ମେ-ଜୁନ୍ ମାସରେ ପାଚି ଥାଏ।ପାଚିବାର ଦୁଇ ତିନି ଦିନ ମଧ୍ୟରେ ଏହା ନଷ୍ଟ ହୋଇଯାଏ। ସେଥି ପାଇଁ ଜାମୁକୁ ବ୍ୟବସାୟିକ ଭିତ୍ତିରେ ଲଗାଇବାକୁ କେହି ଚାହୁଁ ନାହାନ୍ତି।ଯଦି ସରକାର ପ୍ରତି ସହରରେ ଶୀତଳ ଭଣ୍ଡାର କରନ୍ତେ ତେବେ ଜାମୁ ଚାଷ ପ୍ରତି ଚାଷୀ ଆଗ୍ରହ କରନ୍ତା।