ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସୁଧାର ଦାବି: ସିଡିଏମଓଙ୍କୁ ୭ ଦଫା ଦାବିପତ୍ର ଦେଲା ଜନଜୀବନ ସୁରକ୍ଷା କମିଟି

By Angul TV Bureau

May 26, 2026

ଅନୁଗୁଳ: ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ତୁରନ୍ତ ସମାଧାନ ଦାବିରେ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମଦନମୋହନ ପ୍ରଧାନଙ୍କୁ ଭେଟି ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଦାବି ପୂରଣ ନହେଲେ ସିଡିଏମଓଙ୍କ ଅଫିସ ଆଗରେ ଜନଆନ୍ଦୋଳନ ହେବ ବୋଲି କମିଟି ଚେତାବନୀ ଦେଇଛି। ଦାବିଗୁଡିକ ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜ ପ୍ରତିଷ୍ଠା, ଡି ଏଚ୍ ଏଚ୍ ରେ ଟ୍ରମାକେୟାର, ଆଇସିୟୁ, ବର୍ଣ୍ଣ ୟୁନିଟ୍, ଇକୋ ମେସିନ ପ୍ରତିଷ୍ଠା, ଚିକିତ୍ସାଳୟ ନିକଟସ୍ଥ ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର, ସୁପର ସ୍ପେସିଆଲିଷ୍ଟ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନେ ଲେଖୁଥିବା ସମସ୍ତ ଔଷଧ ମାଗଣାରେ ଯୋଗାଣ, ଜିଲ୍ଲାର ସମସ୍ତ ଡି ଏଚ୍ ଏଚ୍, ଏସ୍ ଡି ଏସ୍, ସି ଏଚ୍ ସି, ପି ଏଚ୍ ସିରେ ଖାଲିପଡ଼ିଥିବା ବିଶେଷଜ୍ଞ ଡାକ୍ତର, ନର୍ସ, କର୍ମଚାରୀ ପଦବୀ ପୂରଣ, ଚିକିତ୍ସାଳୟ ନିକଟରେ ନର୍ସିଂ କଲେଜ ପ୍ରତିଷ୍ଠା ଓ ଆମିଷ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରମୁଖ।

ଡା. ପ୍ରଧାନ କହିଛନ୍ତି, ଆଇସିୟୁ ଓ ବର୍ଣ୍ଣ ୟୁନିଟ୍ ନିର୍ମାଣ କାମ ସରିଛି, କେବଳ ବିଦ୍ୟୁତ୍ ସଂଯୋଗ ବାକି ଅଛି। ଠିକାଦାରଙ୍କୁ ଅର୍ଥ ଦିଆସରିଛି, ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ସୁପର ସ୍ପେସିଆଲିଷ୍ଟ ଡାକ୍ତର ଜିଲ୍ଲା ଖଣିଜ ପାଣ୍ଠି ଡିଏମଏଫରୁ ଠିକାରେ ନିଯୁକ୍ତ ହୋଇ ସେବା ଯୋଗାଉଛନ୍ତି। ଆହୁରି ଡାକ୍ତର ନିଯୁକ୍ତି ହେବେ ଏବଂ ସମସ୍ତ ଔଷଧ ନିରାମୟରେ ମାଗଣାରେ ମିଳୁଛି। ପୋଲଟ୍ରି ଫାର୍ମ ଜାଗାକୁ ଚିକିତ୍ସାଳୟ ପାଇଁ ବ୍ୟବହାର କରାଯିବ। ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ନର୍ସିଂ କଲେଜ ପ୍ରସ୍ତାବ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପିଏଚସି ସମେତ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଦବୀ ପର୍ଯ୍ୟାୟକ୍ରମେ ପୂରଣ ହେବ ବୋଲି ସିଡିଏମଓ କହିଛନ୍ତି।

ଆଲୋଚନାରେ କମିଟିର ଆବାହକ ପ୍ରମୋଦ କୁମାର ପ୍ରଧାନ, ଅଭିମନ୍ୟୁ ସ୍ୱାଇଁ, ରମେଶ ଚନ୍ଦ୍ର ସାହୁ, ତୀର୍ଥବାସୀ ଭୋଇ, ମାନସ ପାଳ, ଅଶୋକ କୁମାର ପ୍ରଧାନ, ତ୍ରିଲୋଚନ ଜେନା, ନିରୋଦ ଚନ୍ଦ୍ର ପାଳ, ପଠାଣୀ ବାରିହା, ତ୍ରେତାନନ୍ଦ ସାମନ୍ତ, ବିଷ୍ଣୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।