ଅନୁଗୁଳ: ପୁଣି ଆନ୍ଦୋଳନ, ପୁଣି ପ୍ରତିବାଦ। ଥଇଥାନ ଦାବିରେ ଅନୁଗୁଳ ଜିଲ୍ଲା ଜରଡ଼ା ଗ୍ରାମବାସୀ ପୁଣି ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ପ୍ରସ୍ତାବିତ ପଥରମୁଣ୍ଡା ରକବା ପୁନର୍ବସତି ସ୍ଥାନରେ ଥଇଥାନ କରିବା ପାଇଁ କୋଇଲା ଖଣି କ୍ଷତିଗ୍ରସ୍ତ ଜରଡା ଗ୍ରାମବାସୀ ବୁଧବାର ଠାରୁ ପୁଣି ଖଣି ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବୁଧବାର ସକାଳେ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି କଣିହାଁ କୋଇଲା ଖଣି ଟାଇମ ଅଫିସ ନିକଟସ୍ଥ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ କଣିହାଁ କୋଇଲା ଖଣିରୁ କୋଇଲା ପରିବହନ ଓ ଉତ୍ପାଦନ ବନ୍ଦ ରହିଥିଲା।
ଖବର ପାଇ ଘଟଣାସ୍ଥଳରେ ଏମସିଏଲ କଣିହାଁ ମହାପ୍ରବନ୍ଧକ ନରେଶ ସିଂହ, ପ୍ରବନ୍ଧକ ତଥା ସୁଲେଖକ ଓ ଅନୁବାଦକ ଦିନେଶ କୁମାର ମାଳି, ଏସଡିପିଓ କୈଳାଶ ଚନ୍ଦ୍ର ସେଠୀ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ୧୫ଦିନ ମଧ୍ୟରେ ଏମସିଏଲ ଗ୍ରାମବାସୀଙ୍କୁ ପ୍ରସ୍ତାବିତ ପଥରମୁଣ୍ଡା ଜାଗାରେ ପ୍ଲଟ ହସ୍ତାନ୍ତର କରିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ଲଟ ହସ୍ତାନ୍ତର ନକଲେ ଗ୍ରାମବାସୀ ପ୍ରତିବାଦ କରିପାରିବେ ବୋଲି ପ୍ରତିଶ୍ରୁତି ପତ୍ରରେ ଉଲ୍ଲେଖ ଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।