ଘଟଣା ଓ ଦୁର୍ଘଟଣା

ଜରିପାଲ ନମିଳିବାରୁ ବିକ୍ଷୋଭ

By Sanjeeb Biswal

September 16, 2021

ଅନୁଗୁଳୁ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ବାଗଡ଼ିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମୁଖରେ ବୁଧବାର ଜରିପାଲ ନମିଳିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ଅନେକ ଗରିବ ହିତାଧିକାରୀ ପଲିଥିନ୍ ନପାଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ। ପରେ ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦରଖାସ୍ତ ଗ୍ରହଣ କରିଥିଲେ। ଦରଖାସ୍ତ ଅନୁଧ୍ୟାନ କରି ଖୁବ୍‌ଶୀଘ୍ର ପଲିଥିନ୍ ଯୋଗାଇ ଦିଆଯିବ ବୋଲି ଶ୍ରୀ ନାୟକ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା। ପ୍ରକାଶ ଯେ, ଗତ ୩ ଦିନ ଧରି ଲଗାଇ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବର୍ଷା, ପବନ ଯୋଗୁଁ ବହୁ ଚାଳ ଛପର ଘର, ଟାଇଲ ଓ ଆଜବେଷ୍ଟସ୍ ଛପର ଉଡ଼ାଇ ନେଇଛି ତ କେଉଁଟି ମାଟିକାନ୍ଥ ଭାଙ୍ଗିଯାଇଛି। ତେଣୁ ମଙ୍ଗଳବାରଠାରୁ ଜରିପାଲ ନିମନ୍ତେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କ୍ଷତିଗ୍ରସ୍ତଙ୍କ ଭିଡ଼ ହୋଇଥିଲା। କେତେକ କ୍ଷତିଗ୍ରସ୍ତ ଜରିପାଲ ନପାଇ ନିରାଶରେ ଫେରିଥିଲେ। ମଙ୍ଗଳବାର ଫେରିଥିବା କ୍ଷତିଗ୍ରସ୍ତ ବୁଧବାର ପୁଣି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଗତକାଲି କ୍ଷତିଗ୍ରସ୍ତ ହୋଇନଥିବା ଅଧିବାସୀଙ୍କୁ ଜରିପାଲ ଯୋଗାଇ ଦିଆଯିବାରୁ ପ୍ରକୃତ ହିତାଧିକାରୀ ବଂଚିତ ହେଲେ ବୋଲି ଅଭିଯୋଗ କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ଘଟଣାସ୍ଥଳରେ ପହଞ୍ଚି ଥିଲେ।