ଘଟଣା ଓ ଦୁର୍ଘଟଣା

ଜରପଡ଼ା ଦନ୍ତା ମୃତ୍ୟୁର ଖୁଲାସା: ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଯାଇଛି ଜୀବନ; ଜଣେ ଗିରଫ

By Sanjeeb Biswal

December 13, 2022

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ବନାଞ୍ଚଳରେ ଗତ ଶନିବାର ସକାଳେ ମିଳିଥିବା ଦନ୍ତା ମୃତ ଦେହର ବ୍ୟବଚ୍ଛେଦ ପରେ ତଦନ୍ତ କରି ପୋଲିସ ଜଣଙ୍କୁ ଗିରଫ କରିଛି। ସୋମବାର ଭୋର ୫ଟାରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ମାନିଛି ଯେ ସେ ଆଉ ଜଣଙ୍କ ସହ ମିଶି ବିଦ୍ୟୁତ ତାର ବିଛାଇ ଥିଲା। ଏହି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ଜରପଡା ଥାନା ପରା ଗ୍ରାମର ଯୋଗୀନାଥ ପ୍ରଧାନ। ଏଥିରେ ସଂପୃକ୍ତ ଫେରାର ଜଣକ ହେଲେ ଜରପଡା କୁମୁରସିଂ ଗ୍ରାମର ଗୋପ ସାହୁ।

ସୂଚନା ମୁତାବକ, ଜରପଡା ରେଞ୍ଜରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ ଏହାର ତଦନ୍ତ ଜାରି ରଖିଥିଲା। ତଦନ୍ତ ବେଳେ ହାତୀ ମୃତ୍ୟୁରେ ସଂପୃକ୍ତ ଯୋଗୀନାଥକୁ ଗିରଫ କରାଯିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଛି। ଯୋଗୀ ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ପ୍ରକାଶ କରିଛି। ଅନ୍ୟପଟେ ଫେରାର ଥିବା ଗୋପକୁ ଧରାଇ ଦେବା ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଦିଆଯିବ ବୋଲି ଡିଏଫଓ ଘୋଷଣା କରିଛନ୍ତି। ଯୋଗୀକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ବନବିଭାଗ ପକ୍ଷରୁ ତନାଘନା ଜାରି ରହିଛି।