ମୁଖ୍ୟ ଖବର

ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ, ଖୁବଶୀଘ୍ର ଭାଙ୍ଗି ଛିନଛତ୍ର ହୋଇଯିବ: ଜୟନାରାୟଣ ମିଶ୍ର

By Angul TV Bureau

October 19, 2024

 

ଭୁବନେଶ୍ବର: ହାରିବା ପରେ ସମସ୍ତ ବିପକ୍ଷ ଦଳ ଏବେ ବିଜୁ ଜନତା ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। କୂଅରେ ପଡ଼ିଥିବା ବେଙ୍ଗ ଭଳି ଅବସ୍ଥା ହୋଇଛି ବିଜେଡିର। ଯିଏ ପାରୁଛି ଟେକା ପଥର ଫିଙ୍ଗି ଦେଇ ଯାଉଛି। ଆଜି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୨୯ ବେଳକୁ ଆଉ ବିଜେଡି ନଥିବ। ଖୁବ୍ ଶୀଘ୍ର ଛିନଛତ୍ର ହୋଇ ଭାଙ୍ଗିଯିବ ବିଜେଡି। ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡିର ବହୁ ନେତା। ସେମାନେ ଖୁବ୍ ଶୀଘ୍ର ପଦ୍ମ ଶିବିରରେ ଯୋଗ ଦେବେ।

ସେ ଆହୁରି କହିଛନ୍ତି, ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ। ବିଜେଡିରେ ନେତାଙ୍କୁ ଚାକର ଭଳି ରଖୁଥିଲେ। ନେତାମାନେ ଦରି ପକାଇଲେ, ଟେଣ୍ଟ ପାଇଁ ଗାତ ଖୋଳିଲେ। ଚୌକି ପକାଇଲେ। ଏବେ ସେମାନେ ପ୍ରତି‌ଶୋଧ ନେବା ମୁଡରେ ଅଛନ୍ତି। ଆଗକୁ ଓଡ଼ିଶାରେ କେବଳ ୨ଟି ଦଳ ରହିବ ବୋଲି କହିଛନ୍ତି ସମ୍ବଲପୁରର ବିଧାୟକ। ଗୋଷ୍ଠୀକନ୍ଦଳ ହୋଇ ବିଜେଡି ଦଳ ଭାଙ୍ଗିଯିବା ପରେ ନେତାମାନେ ବିଜେପିରେ ଯୋଗ ଦେବେ ବୋଲି ଜୟନାରାୟଣ କହିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସମାନ କଥା କହିଥିଲେ। ବିଜେଡି ଖାଲି ହୋଇଯିବ ବୋଲି ମନମୋହନ କହିଥିଲେ। ତେବେ ରାଜ୍ୟରେ ବିଜେଡି ସ୍ଥିତି ଏବେ ବି ଭଲ ଅଛି ବୋଲି କିଛି ଦଳୀୟ ନେତା ପ୍ରତି ଉତ୍ତର ଦେଇଥିବା ଜଣାଯାଇଛି।