ଅନୁଗୁଳ: କୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଗୁପ୍ତାକୁ ଗତକାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ଅନ୍ୟ ଅଧିକାରୀ ମାନେ ବଅଁରପାଳ ଜେଏମ୍ଏଫ୍ସି କୋର୍ଟ ସମ୍ମୁଖରୁ ଫିଲ୍ମ ଷ୍ଟାଇଲରେ ଧରିବା ପରେ କଟକ ନେଇଯାଇଥିଲେ। ସେଠାରେ ଅବକାରୀ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଜୟପ୍ରକାଶକୁ ମାରାଥନ୍ ଜେରା କରିଥିଲେ। ପ୍ରଥମେ କୁନ୍ଥୁକୁନ୍ଥୁ ହେଉଥିବା ଜୟପ୍ରକାଶ ପରେ ସତ ଓଗାଳି ଥିଲା।ଜୟପ୍ରକାଶର କଳାକାରନାମା ଶୁଣି ଅବକାରୀ ଅଫିସର ମାନେ ତାଜୁବ ହୋଇଯାଇଥିଲେ। ବର୍ଷ ବର୍ଷ ଧରି ଚାଲିଥିବା ଏହି କାରନାମାରେ ଜୟ ପ୍ରକାଶର ପରିବାର ଲୋକ ମଧ୍ୟ ସଂପୃକ୍ତ ଥିଲେ । ଏହି କାରଣରୁ ତାର ସ୍ତ୍ରୀ ଅନିତା ଦେବୀ, ବାପା ଅଶୋକ ପ୍ରସାଦ ଓ ମାଆ ବିମଳା ଦେବୀଙ୍କୁ ମଧ୍ୟ ଗିରଫ କରାଯାଇ ଶୁକ୍ରବାର ବଅଁରପାଳ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯିବା ପରେ ବିଚାବିଭାଗୀୟ ହଜତକୁ ପଠାଇ ଦିଆଯାଇଛି। ଜୟପ୍ରକାଶର ଘର ବିହାରର ରୋହତାସ ଜିଲ୍ଲାରେ ବୋଲି ଜଣା ପଡ଼ିଛି। ଜୟପ୍ରକାଶର ନକଲି ମଦ ସାମ୍ରାଜ୍ୟ ନେଇ ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟ ମିଳିପାରିନାହିଁ।