ଅନୁଗୁଳ: ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବଢ଼ୁଥିବା ପ୍ରଦୂଷଣ ଏବଂ ବିଦ୍ୟୁତ ସମସ୍ୟାର ସମାଧାନ ଦାବିରେ ‘ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି’ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ସମାବେଶ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଦାବିଗୁଡ଼ିକ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର, ଆଇସିୟୁ ଓ ବର୍ଣ୍ଣ ୟୁନିଟ୍ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ବୈଜ୍ଞାନିକ ପଦ୍ଧତିରେ ପ୍ରଦୂଷଣ ରୋକିବା ଏବଂ କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର ‘କୋଲ୍ କରିଡର’ ନିର୍ମାଣ, ପ୍ରଦୂଷଣ ପ୍ରଭାବିତ ଜିଲ୍ଲାବାସୀଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ପ୍ରଦାନ ଏବଂ ସ୍ମାର୍ଟ ମିଟର ବନ୍ଦ କରିବା, ଡାକ୍ତରଖାନା ନିକଟରୁ କୁକୁଡ଼ା ଫାର୍ମ ଓ ଆମିଷ ବଜାର ହଟାଇବା ଏବଂ ଅନ୍ଲାଇନ୍ ଟିକେଟ୍ ବ୍ୟବସ୍ଥା ଲାଗୁ କରିବା।
ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ପ୍ରଶାସନ ତୁରନ୍ତ ଏହାର ସମାଧାନ ନକରେ, ତେବେ ଆଗାମୀ ଦିନରେ ‘ଜିଲ୍ଲା ବନ୍ଦ’ ଭଳି ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।