ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ସମଲ ବ୍ୟାରେଜ ବଜାର ସ୍ଥିତ ମା’ ତାରିଣୀଙ୍କ ମନ୍ଦିରରୁ ଗହଣା ଚୋରି ହୋଇଛି। ବୁଧବାର ଅପରାହ୍ନରେ ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ମା’ଙ୍କ ଆଖି, ନାକରେ ଲାଗିଥିବା ଲକ୍ଷାଧିକ ଟଙ୍କାର ଗହଣାକୁ କେହି ଦୁର୍ବୃତ୍ତ ନେଇ ଯାଇଛି। ସିସିଟିଭିରେ ଚୋରିର ପୂରା ଦୃଶ୍ୟ କଏଦ ହୋଇଛି।
ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ଦୁଇଜଣ ଚୋର ବାହାରେ ଜଗିଥିବା ବେଳେ ଜଣେ ମନ୍ଦିର ମଧ୍ୟରେ ପ୍ରବେଶ କରି ମା’ଙ୍କୁ ପ୍ରଥମେ ମୁଣ୍ଡିଆ ମାରୁଛି। ତା ପରେ ଦେବୀଙ୍କ ଦେହରୁ ଗହଣା ଖୋଲି ନେଉଛି। କମିଟି ସମ୍ପାଦକ ସୁବାସ ପ୍ରଧାନ ସମଲ ଥାନାରେ ଚୋରି ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ୩ ଜଣଙ୍କୁ ଗୁରୁବାର ଥାନାରେ ଅଟକ ରଖାଯାଇଥିବା ସୂଚନା ଦେଇଛି ପୋଲିସ।