ଘଟଣା ଓ ଦୁର୍ଘଟଣା

ଦୋକାନରୁ ୨ ଲକ୍ଷ ଟଙ୍କାର ଗହଣା ଚୋରି

By Biswaranjan Pattnaik

July 31, 2021

ଅନୁଗୁଳ: ତାଳଚେର କୋଲିୟରୀ ଥାନା ଇଲାକାରେ ଶୁକ୍ରବାର ପୂର୍ବାହ୍ନରେ ଭରତପୁର ସ୍ଥିତ ନେହେରୁ ଶତାବ୍ଦୀ ନଗରର ଏକ ଗହଣା ଦୋକାନରୁ ବଡ଼ ଧରଣର ଚୋରି ହୋଇଛି। ମାଲିକ ନଥିବା ବେଳେ କେହି ଦୁର୍ବୃତ୍ତ ପ୍ରାୟ ୨ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଭର୍ଭି ବ୍ୟାଗ୍ ଧରି ଚମ୍ପଟ ମାରିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜ୍ଜୁ କରି ଖୋଳତାଡ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ମୁତାବକ, ଗୋବରା ଗ୍ରାମର ରାଜେଶ କୁମାର ସାହୁଙ୍କ ଏକ ଗହଣା ଦୋକାନ ଭରତପୁରର ନେହେରୁ ଶତାବ୍ଦୀ ନଗରରେ ରହିଛି। ସବୁଦିନ ପରି ସେ ପୂର୍ବାହ୍ନ ୧୦ଟା ବେଳକୁ ଦୋକାନରେ ପହଞ୍ଚିଥିଲେ। ଏକ ବ୍ୟାଗରେ ୩୦ ଗ୍ରାମର ସୁନା ଓ ୩ କିଲୋ ରୁପା ଗହଣା ରଖିଥିଲେ । ଦୋକାନ ଭିତରେ ବ୍ୟାଗ୍‌ ରଖି ସେ ପାଣି ଆଣିବାକୁ ବାହାରକୁ ଯାଇଥିଲେ । ପାଣି ଧରି ଫେରିଲା ବେଳକୁ ଦୋକାନରୁ ବ୍ୟାଗ୍ ଉଭାନ୍ ହୋଇଯାଇଥିଲା । ଚୋରି ସୁନା ଓ ରୁପାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ତେବେ କେହି ଦୁର୍ବୃତ୍ତ ବ୍ୟାଗ୍ ଧରି ଚମ୍ପଟ ମାରିଥିବା ସେ ଜାଣିବାକୁ ପାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରି ନିରାଶ ହେବା ପରେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।