ଅନୁଗୋଳ: ଓ.ପି. ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ତଥା ପ୍ରେରଣାପୁରୁଷ ଶ୍ରୀ ଓ.ପି. ଜିନ୍ଦଲ (ବାଉଜୀ)ଙ୍କ ୯୬ତମ ଜୟନ୍ତୀରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜିନ୍ଦଲ ନଗରସ୍ଥିତ ହଷ୍ଟେଲ-୩ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ମୋଟ ୪୬୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଜିନ୍ଦଲ ଷ୍ଟିଲର କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ବିଭିନ୍ନ ଅଂଶୀଦାରମାନେ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ। ଜିନ୍ଦଲ ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଭି.ଆର. ଶର୍ମା ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଦାମୋଦର ମିତ୍ତଲ, ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ), ଅନୁଗୁଳସ୍ଥିତ ଓଡ଼ିଶା ବ୍ଲଡ୍ ବ୍ୟାଙ୍କର ପ୍ରଭାରୀ ଡା. ସତ୍ୟବ୍ରତ ପଟ୍ଟନାୟକ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।
ଏହି ଅବସରେ ଶ୍ରୀ ଶର୍ମା କହିଲେ, “ନିୟମିତ ବ୍ୟବଧାନରେ ରକ୍ତଦାନ ଶିବିର ଆୟୋଜନ କରିବା ସମାଜସେବା ପ୍ରତି ଜିନ୍ଦଲ ଗ୍ରୁପର ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ। ପ୍ରତ୍ୟେକ ସୁସ୍ଥ ମହିଳା ଓ ପୁରୁଷ ବର୍ଷକୁ ଅତି କମରେ ଥରେ କିମ୍ବା ଦୁଇଥର ରକ୍ତଦାନ କରିବା ଉଚିତ। ବିଶେଷକରି ୪୦ ବର୍ଷରୁ କମ୍ ବୟସ୍କମାନେ ଏଥିରେ ଆଗେଇ ଆସନ୍ତୁ।” ସେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ନିୟମିତ ଆୟୋଜିତ ରକ୍ତଦାନ ଶିବିରଗୁଡ଼ିକରେ ନିରନ୍ତର ରକ୍ତଦାନ କରୁଥିବା ରକ୍ତଦାତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରେ ଶ୍ରୀ ଦାମୋଦର ମିତ୍ତଲଙ୍କୁ ପ୍ରତ୍ୟେକ ରକ୍ତଦାନ ଶିବିରରେ ନିୟମିତ ଭାବେ ରକ୍ତଦାନ କରିଥିବାରୁ ସମ୍ମାନିତ କରାଯାଇଥିଲା। ସେ କହିଲେ, “ଜିଲ୍ଲାର ଏକ ଅଗ୍ରଣୀ ଶିଳ୍ପ ସଂସ୍ଥା ଭାବେ ଆମେ ଏପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ଭାବେ ୧୦ ହଜାରରୁ ଅଧିକ ୟୁନିଟ୍ ରକ୍ତ ସମାଜକୁ ପ୍ରଦାନ କରିସାରିଛୁ।”