ଅନ୍ୟାନ୍ୟ

ଜିନ୍ଦଲନଗରରେ ରଥଯାତ୍ରା ପାଳିତ: ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

By Angul TV Bureau

June 28, 2025

ଅନୁଗୁଳ: ଦେବଭୂମି ଜିନ୍ଦଲନଗରରେ ପବିତ୍ର ଘୋଷଯାତ୍ରା  ଆରମ୍ଭ ହୋଇଛି। ଏହି ଯାତ୍ରା ଦେଖିବାକୁ ଆଖପାଖ ଗ୍ରାମାଞ୍ଚଳ ଏବଂ ଅନୁଗୁଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ।

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ,ତାଙ୍କ ଧର୍ମ ପତ୍ନୀ ତଥା ଜିନ୍ଦଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ ଏବଂ ତାଙ୍କ ମାତା ଓ.ପି. ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ପ୍ରମୁଖ ରଥଯାତ୍ରାରେ ପ୍ରଧାନ ସେବକ ଭାବେ ଦାୟିତ୍ଵ ତୁଲାଇଥିଲେ। ନବୀନ ଜିନ୍ଦଲ ପହଣ୍ଡି କାର୍ଯ୍ୟକ୍ରମରେ ଭାଗ ନେବା ସହ ରଥରେ ସମର୍ଜନୀ ଧରି ଛେରା ପହଁରା କରିଥିଲେ।

ରଥଟଣା ପୂର୍ବରୁ ସକାଳେ ମନ୍ଦିରରେ ନେତ୍ର ଲାଗି, ନବ ଯୌବନ ଦର୍ଶନ, ମଙ୍ଗଳ ଆରତୀ, ପହଣ୍ଡିବିଜେ ଆଦି ପାରମ୍ପରିକ ରୀତିନୀତି ଆୟୋଜିତ ହୋଇଥିଲା। ମୁଖ୍ୟ ସେବାୟତ ଶ୍ରୀକାନ୍ତ ଜୀଙ୍କ ତତ୍ତ୍ୱାବଧାନରେ ସମସ୍ତ ନିତିକାନ୍ତି ସମ୍ପନ୍ନ କରାଯାଇଥିଲା।

ଦେବୀ ସୁଭଦ୍ରାଙ୍କ ପହଣ୍ଡି ଓ ରଥ ଟଣାରେ କେବଳ ମହିଳାମାନେ ନିୟୋଜିତ ହୋଇ ନୀତି ସମ୍ପର୍ଣ୍ଣ କରିଥିଲେ। ଏହା ସବୁଠାରୁ ଆକର୍ଷଣର କେନ୍ଦ୍ର ଥିଲା।

କମ୍ପାନୀର ଅନୁଗୁଳ ମୁଖ୍ୟ ଶ୍ରୀ ପଙ୍କଜ ମଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଶ୍ରୀ ଦାମୋଦର ମିତ୍ତଲ୍, ସେମାନଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ କର୍ମଚାରୀମାନେ ଭକ୍ତି ଭାବରେ ରଥଯାତ୍ରା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେମାନେ ସାଧାରଣ ଜନତାଙ୍କ ସହ ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ। ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ କାର୍ୟ୍ୟକ୍ରମ ପ୍ରସାରଣ କରାଯାଇଥିଲା।

ଜିନ୍ଦଲନଗରର ଏହି ଭବ୍ୟ ରଥଯାତ୍ରା ସମାରୋହ ଆସନ୍ତା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା। ଏହି ଦିନ ଶ୍ରୀ ଜୀଉ ମାନେ ଦେବଭୂମିର ରତ୍ନ ସିଂହାସନକୁ ଫେରିବେ। ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଦିନ ଜିନ୍ଦଲ ନଗରରେ କର୍ମଚାରୀ ଏବଂ ଅନ୍ୟଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯିବ ।