ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆୟୋଜିତ ହୋଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଛେଣ୍ଡିପଦା ବ୍ଲକ୍ର ୩୪ଟି ପଞ୍ଚାୟତରୁ ୧୦୮ଟି ଅଭିଯୋଗର ଶୁଣାଣି କରିଥିଲେ।
ଶିବିରରେ ଜରପଡା ରେଳ ଧାରଣାରୁ ଛାତ୍ରଙ୍କ ମୃତ୍ୟକୁ ନେଇ ପରିବାର ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି, ମାଛକୁଟା ପଞ୍ଚାୟତର ଘାସି ସାହିରେ ପାନୀୟ ଜଳ ଓ ଗମନାଗମନ ରାସ୍ତା, ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷବ ପଦବୀ ପୂରଣ, ବରସାହି ପଞ୍ଚାୟତରେ ମୁକ୍ତାକାଶ ବ୍ୟାୟାମ ଓ ପାର୍କକୁ ଜଳଯୋଗାଣ, ଖମାରର ବାଣେଶ୍ୱର ଖେଳ ପଡିଆର ଉନ୍ନତିକରଣ, ନିଶା ପଞ୍ଚାୟତ ଦେଇ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ହମ୍ପସ ନିର୍ମାଣ, କେନ୍ଦୁପଶି ଗ୍ରାମରେ ଭୋଟର ତାଲିକାରେ ନାମ ସଂଯୋଗୀ କରଣ, ଯାତ୍ରୀଙ୍କ ସୁବିଧା ନିମନ୍ତେ ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ, ଯାତ୍ରୀଙ୍କ ଠାରୁ ଅଧିକ ବସ ଭଡା ଆଦାୟକୁ ବିରୋଧ ଆଦି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଲଳିତ ମୋହନ ବେହେରା, ଉପଜିଲ୍ଲାପାଳ ବୈତୁରା ଦୀପ, ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ, ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ, ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କାଙ୍କ ସମେତ ବନବିଭାଗ, ବିଦ୍ୟୁତ ବିଭାଗ, ଉଠା ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ସମାଜ ମଙ୍ଗଳ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ, କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।