ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅଫିସଠାରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ ୨୮ଟି ଅଭିଯୋଗରୁ ୨୦ଟି ବ୍ୟକ୍ତିଗତ ଓ ୮ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଦାଖଲ ହୋଇଥିବା ୨୮ଟି ଅଭିଯୋଗ ମଧ୍ୟରୁ ୨ଟିର ଆଜିର ଶିବିରରେ ଫଇସଲା କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ ରାସ୍ତା, ଜମି ଜମା ବିବାଦ, ଭୂମିହୀନ, ରାସନ କାର୍ଡ, ପାରିବାରିକ ସମସ୍ୟା, ବିଜୁଳି ସମସ୍ୟା, ବାସଗୃହ ସମ୍ପର୍କିତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ବଅଁରପାଳ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧବ ପାଣିଗ୍ରାହୀ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।