ମୁଖ୍ୟ ଖବର

ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର, ୭୪ ଅଭିଯୋଗ ମଧ୍ୟରୁ ୨୬ଟିର ହେଲା ଫଇସଲା

By Angul TV Bureau

May 08, 2023

ଅନୁଗୁଳ : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୭୪ଟି ଅଭିଯୋଗରୁ ୬୨ଟି ବ୍ୟକ୍ତିଗତ ଓ ୧୨ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଶିବିରରେ ଦାଖଲ ହୋଇଥିବା ୭୪ ଅଭିଯୋଗ ମଧ୍ୟରୁ ୨୬ଟି ଅଭିଯୋଗର ତ୍ୱରିତ ଫଇସଲା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଜଣଙ୍କୁ ୨୦ ହଜାର ଟଙ୍କା ଓ ଅନ୍ୟ ୩ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଚେକ୍ ଆକାରରେ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା।

ଏହି ଶିବିରକୁ ଆସିଥିବା ଲୋକମାନେ ରାସ୍ତା, ଜମି ଜମା ବିବାଦ, ରେଳବାଇ ଠାରୁ କ୍ଷତିପୂରଣ, ଭୂମିହୀନ, ପାରିବାରିକ ସମସ୍ୟା, ଆଧାର କାର୍ଡ, ପାନୀୟ ଜଳ, ବିଜୁଳି ସମସ୍ୟା, ହାତୀ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜା, କଳକାରଖାନାରୁ ବାହାରୁଥିବା ଆବର୍ଜନା ନିମନ୍ତେ ଜଳ ପ୍ରଦୂଷଣ ସମ୍ପର୍କିତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଡେପୁଟି କଲେକ୍ଟର ମଧୁସ୍ମିତା ବିଶି, ମିନର୍ଭା ନାୟକ ଓ ସତ୍ୟାନନ୍ଦ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।