ମୁଖ୍ୟ ଖବର

ସାତକୋଶିଆ ଅଭୟାରଣ୍ୟ ଟିକରପଡାରେ ବନ ବିଭାଗର ସହଭାଗିତାରେ ‘ସ୍ନେହ’ ପ୍ରକଳ୍ପ ଆରମ୍ଭ

By Biswaranjan Pattnaik

November 25, 2024

ଅନୁଗୁଳ: ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଅଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲା ଟିକରପଡା ଅଞ୍ଚଳର ଧଉରାଗୋଠ ଗାଁରେ ସ୍ନେହ ପ୍ରକଳ୍ପ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମକୁ ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡା ଉଦଘାଟନ କରିଥିବା ବେଳେ ଅନୁଗୁଳ ସିଡିଏମଓ ଡାକ୍ତର ଶିବାନନ୍ଦ ମହାନ୍ତି, ଏସଡିଭିଓ ଡାକ୍ତର କେଶବ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର, ସରପଞ୍ଚ ସୌଦାମିନୀ ପ୍ରଧାନ, ସାତକୋଶିଆ ଜୈବ ବିବିଧତା ସଂରକ୍ଷଣର ଅଧ୍ୟକ୍ଷ ଅନନ୍ତ ବାସୁଦେବ ମହାନ୍ତିଙ୍କ ସମେତ ସ୍ଥାନୀୟ ନେତା ଦିଲେଶ୍ୱର ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଦୋଳ ବେହେରା ଏବଂ ନୀଳକଣ୍ଠ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ସ୍ନେହ ପ୍ରକଳ୍ପ ଜରିଆରେ ଜିନ୍ଦଲ ଫାଉଣ୍ଡେସନ ସାରା ଭାରତରେ ଅଭାବି ଏବଂ ବଞ୍ଚିତ ଲୋକଙ୍କୁ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇଆସୁଛି। ଏହି କାର୍ଯ୍ୟକ୍ରମରେ ଆଦିବାସୀ ଜିଲ୍ଲାଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ବନ ବିଭାଗର ସହଯୋଗରେ ଜିନ୍ଦଲ ଫାଉଣ୍ଡେସନ ଏହି ପଦକ୍ଷେପକୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ପାରିପାର୍ଶ୍ୱିକ ଗ୍ରାମକୁ କେନ୍ଦ୍ରିତ କରିଛି, ଯାହା ମୂଳ ଅଭୟାରଣ୍ୟ ବାହାରେ ପୁନଃ ଅବସ୍ଥାପିତ ପରିବାରର ପୁଷ୍ଟିକର ଖାଦ୍ୟ ସମସ୍ୟାର ସମାଧାନ କରିପାରିବ। ଏହି ପଦକ୍ଷେପ ଅସହାୟ ସମ୍ପ୍ରଦାୟକୁ ସମର୍ଥନ କରୁଥିବାବେଳେ ମାନବ-ବନ୍ୟଜନ୍ତୁ ବିବାଦକୁ ଦୂର କରିବା ପାଇଁ ହୋଇଥିବା ରଣନୀତିକୁ ସହାୟକ ହେବ ବୋଲି ଆଶା କରାଯାଉଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ୭୦୦ ରୁ ଅଧିକ ଚିହ୍ନିତ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଲୋକଙ୍କ ଆବଶ୍ୟକତାର ପୁନଃ ମୂଲ୍ୟାଙ୍କନ କରି ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମର ପରିସରକୁ ବିସ୍ତାର କରାଯିବ।

ଏହି ଉତ୍ତମ ପଦକ୍ଷେପ ପାଇଁ ବନ ବିଭାଗ ଏବଂ ଜିନ୍ଦଲ ଫାଉଣ୍ଡେସନର ଟିମ୍ କୁ ଧନ୍ୟବାଦ ଦେଇଛନ୍ତି ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ।