ମୁଖ୍ୟ ଖବର

୩୦ ବର୍ଷ ପରେ ମିଳିଲା ନ୍ୟାୟ: ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଶାଶୂଙ୍କୁ ଆଜୀବନ କାରାଦଣ୍ଡ

By Angul TV Bureau

February 20, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସଦର ମହକୁମାରେ ଦୀର୍ଘ ୩୦ ବର୍ଷ ତଳେ ଘଟିଥିବା ଏକ ବହୁଚର୍ଚ୍ଚିତ ଯୌତୁକ ଜନିତ ବଧୂ ହତ୍ୟା ମାମଲାରେ ଆଜି ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଞ୍ଜନ କୁମାର ସୁତାର ଏହି ଘଟଣାରେ ମୃତକଙ୍କ ସ୍ୱାମୀ ମହାଦେବଲାଲ ଗୋଦୁକା ଓ ଶାଶୂ ଦେବକୀବାଇ ଗୋଦୁକାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟପକ୍ଷରେ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ଏହି ମାମଲାରେ ସଂପୃକ୍ତ ଥିବା ନଣନ୍ଦ ସରୋଜା ଦେବୀ ଓ ଦିଅର ବିନାୟକ ଗୋଦୁକାଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଘଟଣାର ସୂଚନା ଅନୁଯାୟୀ, ଅନୁଗୁଳ ଏଫସିଆଇ ଅଞ୍ଚଳର ବାସିନ୍ଦା ନଥୁରାମ ଅଗ୍ରୱାଲଙ୍କ ବଡ଼ ଝିଅ ସରିତା ଅଗ୍ରୱାଲ ୧୯୯୪ ମସିହା ମାର୍ଚ୍ଚ ୫ ତାରିଖରେ ଆଠମଲ୍ଲିକ ସହର ରଥସାହି ନିବାସୀ ନଥୁଲାଲ ଗୋଦୁକାଙ୍କ ବଡ଼ ପୁଅ ମହାଦେବଲାଲଙ୍କୁ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରେ ଯୌତୁକ ପାଇଁ ସରିତାଙ୍କୁ ଶ୍ୱଶୁର ଘର ପକ୍ଷରୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ୧୯୯୬ ଜାନୁଆରୀ ୫ ତାରିଖରେ ସରିତାଙ୍କର ମୃତ୍ୟୁ ଘଟିବା ପରେ ତାଙ୍କ ପିତା ନଥୁରାମ ଅଗ୍ରୱାଲ ଆଠମଲ୍ଲିକ ଥାନାରେ ସ୍ୱାମୀ, ଶ୍ୱଶୁର, ଶାଶୂ, ନଣନ୍ଦ ଓ ଦିଅରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।

ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ଶୁଣାଣି ପାଇଁ ଦୀର୍ଘ ୩୦ ବର୍ଷ ସମୟ ଲାଗିଥିବା ବେଳେ ଜନସାଧାରଣ ଏହି ରାୟକୁ ଚାହିଁ ରହିଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୱିଟର ଗାୟତ୍ରୀ ଦାସ ଓ ସହଯୋଗୀ ଓକିଲ ରାଜେଶ କୁମାର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର ଏହାକୁ ପରିଚାଳନା କରୁଥିଲେ।