ମୁଖ୍ୟ ଖବର

ନାବାଳକ ବଳି ଘଟଣା: ସଠିକ ତଦନ୍ତ ଦାବିରେ ରାସ୍ତାରୋକ କଲେ ଶତାଧିକ ମହିଳା

By Angul TV Bureau

August 08, 2023

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅନ୍ତର୍ଗତ ଟୁସର ଗ୍ରାମରେ ଥିବା ମଙ୍ଗଳାକୋଠିରୁ ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ବାସନ୍ତୀ ବିଶ୍ୱାଳଙ୍କ ପୁଅ ସଂଜୀବ ନିଖୋଜ ହେବା ଓ ପରେ ବାରେଣୀ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର କରାଯିବା ଘଟଣା ପାଇଁ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସଂଜୀବ ହତ୍ୟାର ସଠିକ ତଦନ୍ତ କରାଯିବା, ସରକାରୀ ଜମିରେ ବେଆଇନ ଭାବେ ଗଢି ଉଠିଥିବା ମଙ୍ଗଳାକୋଠିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ଓ ଯେଉଁ ଗ୍ରାମବାସୀଙ୍କ ନାମରେ ପୋଲିସ ମିଥ୍ୟା ଗାଡି ପୋଡି ମାମଲା ରୁଜୁ କରିଛି ତାକୁ ପ୍ରତ୍ୟାହାର କରିବା ଦାବି ନେଇ ମଙ୍ଗଳବାର ଅପରାହ୍ନରେ ଶତାଧିକ ମହିଳା ମଙ୍ଗଳାକୋଠି ରାସ୍ତାରେ କାଠ ପକାଇ ରାସ୍ତାରୋକ କରିଥିଲେ। ଏଥିସହ କୋଠି ଉପରକୁ ପଥରମାଡ଼ କରିଥିଲେ। ପୋଲିସ ପହଞ୍ଚିବା ପରେ ସେଠାରେ ଧସ୍ତାଧସ୍ତି ହୋଇଥିଲା।

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଅତିରିକ୍ତ ପୋଲିସ ଅଧୀକ୍ଷକ ସୁରେନ୍ଦ୍ର ରାୟଗୁରୁ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାଳକୃଷ୍ଣ କହଁର ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ପରେ ଉପଜିଲ୍ଲାପାଳ ଜିତେନ୍ଦ୍ର ପାତ୍ର, ତହସିଲଦାର ଯଶୋବନ୍ତ ଦେହୁରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା ଓ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାଯାଇଛି l ସୂଚନାଯୋଗ୍ୟ ଯେ ଏହି ଘଟଣାରେ ପୋଲିସ ମଙ୍ଗଳାକୋଠି ଚଳାଉଥିବା ଗୀତାଞ୍ଜଳି ବାଘ ଓ ତାର ୩ ପୁଅକୁ ଗିରଫ କରିଛି। ଏଥିସହ ପ୍ରଶାସନ ପକ୍ଷରୁ ଉକ୍ତ ବେଆଇନ ମଙ୍ଗଳା କୋଠିକୁ ସିଲ କରାଯାଇଛି।