ଘଟଣା ଓ ଦୁର୍ଘଟଣା

ହାତୀ ଆକ୍ରମଣରେ ନାବାଳକ ମୃତ

By Sanjeeb Biswal

December 27, 2020

ଅନୁଗୁଳ: ଶୁକ୍ରବାର ସଂଧ୍ୟାରେ ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ନାବାଳକ ଗୁରୁତର ଆହତ ହେଇଥିବା ବେଳେ ୩ ଜଣ ଦନ୍ତା ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ନାବାଳକ ମଣ୍ଡୁଆ ଗ୍ରାମର ଶୁଭକାନ୍ତ ରାଉତଙ୍କ ପୁଅ ଶ୍ରୀକାନ୍ତ ଓ ଗୁରୁତର ଆହତ ନାବାଳକ ରମେଶ ଚନ୍ଦ୍ର ସାହୁଙ୍କ ପୁଅ ଚନ୍ଦନ ବୋଲି ଜଣାପଡିଛି। ଗତକାଲି ସଂଧ୍ୟାରେ ୫ ଜଣ ସାଙ୍ଗ ଶୌଚ ପାଇଁ ଗାଁ ନିକଟ ପଡ଼ିଆକୁ ଯାଇଥିବାବେଳେ ଏକ ଦନ୍ତାହାତୀ ଆକ୍ରମଣ କରିଥଲା। ପରିବାର ଲୋକ ଉଭୟଙ୍କୁ ପ୍ରଥମେ କଣିହାଁ ଓ ପରେ ଅନୁଗୁଳ ମେଡିକାଲରେ ଭର୍ତି କରିଥଲେ। ଏଠାରେ ଶ୍ରୀକାନ୍ତଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଚନ୍ଦନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ ହାତୀ ଉପଦ୍ରବ ରୋକିବା ସହ ଆକ୍ରମଣରେ ମୃତାହତଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଛେଣ୍ଡିପଦା ରେଞ୍ଜ ଅଫିସ ଘେରାଉ କରିଥିଲେ ଗ୍ରାମବାସୀ। ମୃତକଙ୍କ ପରିବାରଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରତାପ ରାଉଳ ଏବଂ ଥାନା ଅଧିକାରୀ ଜ୍ଞାନେନ୍ଦ୍ର ସାମଲ ପ୍ରତିଶୃତି ଦେବାପରେ ୪ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଥିଲେ ଗ୍ରାମବାସୀ ।