ଅନୁଗୁଳ: କିଶୋର କିଶୋରୀଙ୍କ ସଚେତନତା ଓ ସୁରକ୍ଷା ପାଇଁ ଅନୁଗୁଳ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଅନୁଗୁଳ ଥାନା ପରିସରରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଟକରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଏହାର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଆଇଜି ସତ୍ୟବ୍ରତ ଭୋଇ ଏବଂ ସମ୍ମାନିତ ଅତିଥି ଭାବେ ଏସପି ରାହୁଲ ଜୈନ ଯୋଗ ଦେଇଥିଲେ। ସମ୍ପ୍ରତି ବଢ଼ୁଥିବା ସାଇବର ଅପରାଧରୁ କିଶୋରମାନେ କିଭଳି ନିଜକୁ ସୁରକ୍ଷିତ ରଖିବେ, ସେ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ।
ଏଥିସହ କିଶୋର କିଶୋରୀଙ୍କ ବିଭିନ୍ନ ଅଧିକାର ଓ ସୁରକ୍ଷା ବ୍ୟବସ୍ଥା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ସମାଜ ସହ ସେମାନଙ୍କର ସୁସମ୍ପର୍କ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ଅନୁଗୁଳ ଥାନା ଅଧିକାରୀ ପ୍ରକାଶ ମାଝୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୁଲିସ ଅଧିକାରୀ ଏବଂ ସ୍ଥାନୀୟ କିଶୋର କିଶୋରୀମାନେ ଉପସ୍ଥିତ ଥିଲେ।