ମୁଖ୍ୟ ଖବର

କବିତା ହେଲେ ଏୟୁସିସିବି ଉପସଭାପତି

By Swagatika Samantray

December 06, 2022

ଅନୁଗୁଳ: କବିତା ସାହୁ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍(ଏୟୁସିସିବି)ର ଉପସଭାପତି ଭାବେ ମଙ୍ଗଳବାର ନିର୍ବାଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ନିର୍ବାଚନରେ ନିର୍ଦ୍ବନ୍ଦରେ ସେ ବିଜୟୀ ହୋଇଛନ୍ତି। ଉପସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଅପରାହ୍ନରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ବିଜେଡି ବ୍ୟାଙ୍କର ଉଭୟ ସଭାପତି ଓ ଉପସଭାପତି ପଦ ନିଜ କବ୍ଜାକୁ ନେଇଛି। ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ଜିତିଥିବା ସମସ୍ତ ୧୫ ଜଣ ବିଜେଡି ସମର୍ଥିତ ହୋଇଥିବାରୁ ଦଳ ଏହି ପଦ ହାତେଇବା ଏକ ପ୍ରକାର ନିଶ୍ଚିତ ଥିଲା। ତେବେ କିଏ ଉପସଭାପତି ହେବ ସେଥିନେଇ ଦ୍ବନ୍ଦ୍ବ ତୁଟି ନ ଥିଲା। ତେଣୁ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ଆଜି ସକାଳେ ହାଇକମାଣ୍ଡଙ୍କ ପାଖରୁ ଏକ ବନ୍ଦ ଲଫାପା ନେଇ ବିଜେଡି ନେତା କୁନବିହାରୀ ଦାସ ଅନୁଗୁଳରେ ପହଞ୍ଚିଥିଲେ। ଦଳୀୟ ନେତା ଓ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏହି ଲଫାପା ଖୋଲାଯିବା ପରେ ସେଥିରେ ୧୫ ନମ୍ବର ଜୋନ୍ ନିର୍ଦ୍ଦେଶକ କବିତା ସାହୁଙ୍କ ନାମ ରହିଥିଲା। ପରେ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ପତ୍ର ଯାଞ୍ଚ କରାଯିବା ପରେ ଏହା କାଏମ ରହିଥିଲା। ଅପରାହ୍ଣରେ ତାଙ୍କୁ ନିର୍ଦ୍ବନ୍ଦ୍ବରେ ବିଜୟୀ ଘୋଷଣା କରାଯାଇଥିଲା।