ମୁଖ୍ୟ ଖବର

କାଳବୈଶାଖୀରେ ଉପୁଡ଼ିଲା ଗଛ, ଉଡ଼ିଗଲା ଟିଣ ଛାତ

By Biswaranjan Pattnaik

April 30, 2026

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ହଠାତ୍ ଅଦିନିଆ ଝଡ଼ ପବନ ବା କାଳବୈଶାଖୀ ଯୋଗୁଁ ସହର ଭିତରେ ବହୁ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିଲା। ୫୫ ନମ୍ୱର୍ ଜାତୀୟ ରାଜପଥର ହୋଟେଲ୍ ଦୁର୍ଗା ନିକଟରେ ଗଛ ଉପୁଡ଼ିବା ଫଳରେ ରାସ୍ତା ଅବରୋଧ ହୋଇଥିଲା। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ , ଅମଲାପଡ଼ାରୁ ଶିକ୍ଷକପଡ଼ା ରାସ୍ତାରେ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ଅମଲାପଡ଼ା ଜନୈକ ବନ ବିଭାଗର କ୍ୱାର୍ଟରର ଟିଣ ଛାତ ଉଡ଼ି ଯାଇ କୋଡ଼ିଏ ଫୁଟ ଦୂରରେ ପଡ଼ିଥିଲା।

ତେବେ ଏଥିରେ କେହି ଆହତ ହୋଇନଥିବା ଜଣା ପଡ଼ିଛି। ସେହିପରି ବହୁ କୋଠାରେ ଥିବା ଦୋକାନ ବିଜ୍ଞାପନ ଫଳକ ଭାଙ୍ଗି ତଳକୁ ଖସି ପଡ଼ିଥିଲା।କୋଡ଼ିଏ ମିନିଟ୍ ଧରି ପ୍ରକୃତିର ଏହି ତାଣ୍ଡବ ଲାଗି ରହିଥିବା ବେଳେ ୧୦ ଟା ସୁଦ୍ଧା ସହରର ସବୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ହୋଇ ପାରିନାହିଁ। ପୌରପାଳିକା ପକ୍ଷରୁଜେସିବି ଲଗାଯାଇ ଗଛ ଡାଳ ଗୁଡିକୁ ରାସ୍ତାରୁ ହଟା ଯାଇଥିଲା।