ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ପଞ୍ଚାୟତ ଅନ୍ତର୍ଗତ ଟାକୁଆ ଗ୍ରାମରେ ସୋମବାର କାଳବୈଶାଖୀ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କିଛି ସମୟ ଭିତରେ ଗ୍ରାମର ଶତାଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଅପରାହ୍ନ ସମୟରେ ହଠାତ ଆକାଶ ମେଘାଚ୍ଛନ୍ନ ହେବା ସହ ପ୍ରବଳ ବେଗରେ ପବନ ବୋହିଥିଲା ଓ ବର୍ଷା ସାଙ୍ଗକୁ କୁଆ ପଥର ମାଡ ହୋଇଥିଲା। ଏହି ତାଣ୍ଡବରେ ଟାକୁଆ ଗ୍ରାମବାସୀଙ୍କ ବହୁ ଆଜବେଷ୍ଟସ ଓ ଟାଇଲ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଫଳରେ ଘର ଭିତରେ ଥିବା ଆସବାବପତ୍ର ଓ ଧାନ-ଚାଉଳ ସବୁ ଓଦା ହୋଇଥିବା ଦେଖିବାକୁ ମିଳିଛି। ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ତୁରନ୍ତ ଏହି କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତ ପରିବାରଙ୍କୁ ଉପଯୁକ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।