ଅନ୍ୟାନ୍ୟ

କଳାକାର ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ:ଶକ୍ତି ମିଶ୍ର ଙ୍କ ଗୀତରେ ଝୁମିଲେ ଦର୍ଶକ

By Biswaranjan Pattnaik

November 06, 2025

ଅନୁଗୁଳ: କଳାକାର ପକ୍ଷରୁ ଆୟୋଜିତ ତିନି ଦିବସୀୟ ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ ହୋଇଯାଇଛି। ରାଜ୍ୟ ସାହିତ୍ୟ ଭାଷା ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି ମହୋତ୍ସବର ଉଦଯାପନୀ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ପ୍ରାଚୀନ ଓଡ଼ିଶାର ସାଧବ ମାନଙ୍କ ସାମୁଦ୍ରିକ ଦକ୍ଷତା ବର୍ଣ୍ଣନା କରିବା ସହ ରାଜ୍ୟ ସରକାର ବନ୍ଦର ଗୁଡ଼ିକର କ୍ଷମତା ବୃଦ୍ଧି କରି କିଭଳି ଅଧିକ ମାଲ ରପ୍ତାନି ହୋଇପାରିବ ସେଥିନେଇ ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ,ଉଦୟ କୁମାର ମହାପାତ୍ର ଯୋଗ ଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ତଥା ଗୌରବମୟ ଇତିହାସ ସମ୍ପର୍କରେ ଉଲ୍ଲେଖ କରିଥିଲେ।ଅନ୍ୟତମ ଅତିଥି ପ୍ରସିଦ୍ଧ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଓ ବରିଷ୍ଠ ମଞ୍ଚ ଓ ସିନେ ଅଭିନେତା ଅଶୋକ ଦାସ ଜିଲ୍ଲାରେ ସଙ୍ଗୀତ ଓ ନାଟକର ବିକାଶ ଦିଗରେ କଳାକାର ଅନୁଷ୍ଠାନର ଭୂମିକା  ପ୍ରଶଂସନୀୟ ବୋଲି କହିଥିଲେ। ବୈଠକରେ ଦିବଂଗତ ସମସ୍ତ କଳାକାରଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶକ୍ତି ମିଶ୍ର କିଛି ବଛାବଛା ଗୀତ ବୋଲି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ସମାରୋହରେ କଳାକାରର ସଦସ୍ୟ ସଦସ୍ୟା ମାନେ ବୋଇତ ବନ୍ଦାଣ ନୃତ୍ୟ ନାଟିକା ପରିବେଷଣ କରିଥିଲେ।ବକଳାକାର ପକ୍ଷରୁ ଶକ୍ତି ମିଶ୍ରଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ଦିଆଯାଇ କଳାକାର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ବରିଷ୍ଠ ଅଭିନେତା ଅଶୋକ ଦାସଙ୍କୁ ଶରତ ମାଝୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏ ଅବସରରେ ସ୍ବର୍ଗତ ମାଝୀଙ୍କ ଧର୍ମପତ୍ନୀ ଦେବଯାନୀ ମହାପାତ୍ର ଉପସ୍ଥିତ ଥିଲେ।। ଏହାପରେ ଅତିଥିମାନେ ସଂଘର ସ୍ମରଣିକା ଉନ୍ମୋଚନ କରିଥିଲେ।

ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ଅନୁଷ୍ଠାନ ପକ୍ଷରୁ ସଭାପତି ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବିଦ୍ୟାଧର ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ। ବରିଷ୍ଠ ସଦସ୍ୟ ବୈରାଗୀ ମଲ୍ଲିକ ଓ ପ୍ରତ୍ୟୁଷା ରଥ ମଞ୍ଚ ପରିଚାଳନା କରିଥିଲେ।ଜୟନ୍ତ କୁମାର କର ଧନ୍ୟବାଦ୍ ଅର୍ପଣ କରିଥିଲେ।।ଶେଷରେ ଆକର୍ଷଣୀୟ ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା।