ଅନ୍ୟାନ୍ୟ

ରାଜଙ୍ଗ ଲା ଶହୀଦଙ୍କ ସ୍ମୃତିରେ କଳସ ଶୋଭାଯାତ୍ରା

By Biswaranjan Pattnaik

June 20, 2025

ଅନୁଗୁଳ:  ଆଜି ସନ୍ଧ୍ୟାରେ ଅନୁଗୁଳ ଟାଉନ ହଲ ଠାରେ ସର୍ବ ଭାରତୀୟ ଯାଦବ ମହାସଭା ପକ୍ଷରୁ ରାଜଙ୍ଗ ଲା ସହିଦଙ୍କ ସ୍ମୃତିରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଦେଶ ବ୍ୟାପି ଏହି ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜି ଶୋଭାଯାତ୍ରା ବଅଁରପାଳରେ ପହଞ୍ଚିବାପରେ ଅନୁଗୁଳ ଯାଦବ ମହାସଭା ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା।

ଏହାପରେ ଶୋଭାଯାତ୍ରା ଅନୁଗୁଳ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବା ପରେ ସେଠାରେ ସହିଦ କଳସକୁ ନାମ ସଂକୀର୍ତ୍ତନ ମଧ୍ୟରେ ନିଆଯାଇ ନଗର ପରିକ୍ରମା କରିବା ପରେ ଟାଉନ ହଲରେ ପହଞ୍ଚିଥିଲା। ଯାଦବ ମହାସଭା ଅନୁଗୁଳର ସଭାପତି ନୀଳମଣି ରାଉତଙ୍କ ସଭାପତିତ୍ବରେ ସେଠାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା।

ଯାଦବ ମହାସଭାର କର୍ମକର୍ତ୍ତା ମାନେ ରାଜଙ୍ଗ ଲା ସହିଦ ମାନଙ୍କ ବିଷୟରେ ବର୍ଣ୍ଣନା କରିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୬୨ ରେ ଭାରତ ଚୀନ ସୀମାନ୍ତ ଇଲାକା ରାଜଙ୍ଗ ଲା ଘାଟିରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ଏଥିରେ ଭାରତର ୧୨୦ ଜଣ ସୈନ୍ୟ ଚୀନର ପ୍ରାୟ ୫ ହଜାର ସୈନ୍ୟଙ୍କ ମୁକାବିଲା କରି ୧୧୪ ଜଣ ସହିଦ ହୋଇଯାଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ସୈନିକ ଥିଲେ ଯାଦବ ସମ୍ପ୍ରଦାୟର।

ଏଣୁ ସେହି ସହିଦଙ୍କ ସ୍ମୃତିରେ ଅଖିଳ ଭାରତୀୟ ଯାଦବ ମହାସଭା ପକ୍ଷରୁ ଦେଶ ବ୍ୟାପି କଳସ ଶୋଭାଯାତ୍ରା ଆୟୋଜନ କରାଯାଉଛି। ଆଜିର ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପରମାନନ୍ଦ ବେହେରା, ସଂଯୋଜକ ନିଶାମଣି ଖିଲାର,ସହ ସଂଯୋଜକ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।