ମୁଖ୍ୟ ଖବର

ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କହିଦେଲେ ବୋଲି ଗାଁ କଙ୍ଗାରୁ କୋର୍ଟରେ ହେଲେ ବାସନ୍ଦ, ନ୍ୟାୟ ପାଇଁ ଗୁହାରୀ

By Angul TV Bureau

February 08, 2023

ଅନୁଗୁଳ : ସ୍ଥାନୀୟ ପାଳଲହଡ଼ା ବ୍ଲକ୍ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗାଁରେ କଙ୍ଗାରୁ କୋର୍ଟରେ ଗାଁର ଏକ ପରିବାରକୁ ବାସନ୍ଦ କରାଯାଇଛି। ସରକାରଙ୍କ ଆଇନ ଅନୁଯାୟୀ, ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ୍ ଠାରେ ଏକ ଅଭିଯୋଗ ବାକ୍ସ ଗଠନ ହୋଇଥିଲା। ସେହି ଗାଁର ଲୋକନାଥ ନାମକ ବ୍ୟକ୍ତି ତାଙ୍କ ଛପର ଘର ଥାଇ ମଧ୍ୟ ଘର କଟିବା ପରେ ସେ ଅନ୍ୟ ଜଣେ ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନାମରେ ପାଳଲହଡ଼ା ବ୍ଲକ୍ ଅଫିସକୁ ଯାଇ ଅଭିଯୋଗ କରିଥିଲେ। ତେବେ ଏକଥା ପୂର୍ଣ୍ଣଚନ୍ଦ୍ର ଜାଣିବା ପରେ ଗାଁରେ ଏକ ବୈଠକ କରି ଅଭିଯୋଗ କରିଥିବା ବ୍ୟକ୍ତିକୁ ଦେଢ ଲକ୍ଷ ଟଙ୍କା ଜରିମାନା କରିଥିଲେ। ତେବେ ଲୋକନାଥ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସେ ଦେଇପାରିନଥିଲେ। ଏଣୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। ଏ ବାବଦରେ ଆଜି ଲୋକନାଥ ସେଠୀ ଉପ ଜିଲ୍ଲାପାଳ ଏବଂ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯଥା ଶୀଘ୍ର ଏହାର ବିଚାର କରାଯିବ ବୋଲି ଥାନା ଅଧିକାରୀ ପାରାଓ ଟୁଡୁ ଓ ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ବ୍ଲକର ଗୋପନ ତଥ୍ୟ ବାହାରକୁ କେମିତି ଗଲା ତାହା ତଦନ୍ତ ହେବା ସହିତ ଲୋକନାଥଙ୍କୁ ନ୍ୟାୟ ଦିଆଯିବ ବୋଲି ବିଡିଓ ଦିଲ୍ଲୀପ କୁମାର ବାଡା କହିଛନ୍ତି।