ଅନ୍ୟାନ୍ୟ

୧୮ତମ ପ୍ରବାସୀ ଭାରତୀୟ ଦିବସ ପାଇଁ କଣିହାଁରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ

By Angul TV Bureau

January 04, 2025

ଅନୁଗୁଳ: ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ କଣିହାଁ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ଏକ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କଣିହାଁ ଗୋଷ୍ଠୀ ଶିକ୍ଷାଧିକାରୀ ନରୋତ୍ତମ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମଙ୍ଗୁଲୁ ଚରଣ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପ୍ରଧାନ ଓ ସୁଜନ କୁମାର ସାହୁ ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।

ଅଷ୍ଟମ, ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ତିନୋଟି ସ୍ତରରେ ପ୍ରତିଯୋଗିତା କରାଯାଇଥିଲା। ପ୍ରତ୍ୟେକ ସ୍ତରରେ ପ୍ରବନ୍ଧ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ହୋଇଥିବା ବେଳେ ଉଚ୍ଚ ମାଧ୍ୟମିକ ସ୍ତରରେ ସାଇକେଲ ରେସ ହୋଇଥିଲା। ୧୭ଟି କ୍ଲଷ୍ଟରରୁ ପୂର୍ବରୁ ମନୋନୀତ ହୋଇ ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଆଜିର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ଜାନୁୟାରୀ ୭ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚୟନ କରାଯାଇଛି। କାର୍ଯ୍ୟକ୍ରମରେ ବିଇଓ କାର୍ଯ୍ୟାଳୟର ମୁକେଶ ସାମନ୍ତରାୟ, ଶ୍ରୀକାନ୍ତ ଗଡ଼ନାୟକ, ସିଆରସିସି ଗଗନ ବିହାରୀ ନାଏକ ଓ ଗୌତମ ମାଝୀ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ ଆସନ୍ତା ଜାନୁୟାରୀ ୮ ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱର ଠାରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ। ଏଣୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।