ଅନୁଗୁଳ: ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ନେଇ ଏକ ଦିବସୀୟ ବ୍ଲକସ୍ତରୀୟ ତାଲିମ ଶିବିର ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଆୟୋଜିତ ହୋଇଛି। ବ୍ଲକରେ କାର୍ଯ୍ୟରତ ସମସ୍ତ ପାଚିକା ତଥା ସହାୟିକା ଏଥିରେ ଅଂଶଗ୍ରହଣ କରିଥିଲେ। କଣିହାଁ ବ୍ଲକର ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ, ସମଲ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବଜ୍ରକୋଟ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୩ ଓ ୨୪ ତାରିଖ ଦୁଇ ଦିନ ପ୍ରଶିକ୍ଷଣ ଦିଆଯାଇଥିଲା। ଶିବିରରେ ୬ଟି ବ୍ୟାଚରେ ୩୪୨ ପାଚିକା ସହାୟିକା ତାଲିମ ନେଇଥିଲେ। ପର୍ଯ୍ୟବେକ୍ଷକ ଭାବରେ କଣିହାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନରୋତ୍ତମ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗୁଳୁ ପ୍ରଧାନ, ସନ୍ତୋଷ ପ୍ରଧାନ ଓ ସୁଜନ କୁମାର ସାହୁ, ପ୍ରଶିକ୍ଷକ ଭାବରେ ଶିକ୍ଷକ ଜଗଶ୍ରୀତା ସାହୁ, ଶୁଭାଶିଷ ଦାସ, ବସନ୍ତ ସାହୁ, ଆଦିତ୍ୟ କୁମାର ପ୍ରଧାନ ଓ ମାନସ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ରୋଷେଇ କରିବା ସମୟରେ କିପରି ବ୍ୟକ୍ତିଗତ ସ୍ବଚ୍ଛତା ଓ ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ପଡିବ ସେ ସମ୍ପର୍କରେ ପାଚିକା ସହାୟିକାଙ୍କୁ ତାଲିମ ଦେଇଥିଲେ।