ଅନୁଗୋଳ : ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗ୍ରାମର ଦିଲ୍ଲୀପ ସେଠୀ (୩୫) ହତ୍ୟା ମାମଲାରେ ପୁଲିସ ତାଙ୍କ ପତ୍ନୀ ସୌଦାମିନୀ ସେଠୀ (୨୫) ଓ ଖଗେଶ୍ୱର ସାହୁ ଓରଫ ମିଲୁ (୨୫)ଙ୍କୁ ଗିରଫ କରିଛି। ଉଭୟଙ୍କୁ ଶୁକ୍ରବାର ଅଦାଲତକୁ ପଠାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।ପୁଲିସ ସୂଚନା ଅନୁଯାୟୀ, ଦିଲ୍ଲୀପ ଓ ତାଙ୍କ ପତ୍ନୀଙ୍କ ସହ ଖଗେଶ୍ୱରଙ୍କ ସମ୍ପର୍କକୁ ନେଇ ବିବାଦ ରହିଥିଲା। ଏହାକୁ ବିରୋଧ କରିବାରୁ ଉଭୟ ଅଭିଯୁକ୍ତ ମିଶି ଦିଲ୍ଲୀପଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି।
ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୨୦ ତାରିଖ ରାତିରେ ଦିଲ୍ଲୀପଙ୍କ ଖାଦ୍ୟରେ ବିଷ ମିଶାଯାଇଥିଲା। ପରେ ସେ ଅଚେତ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଘଟଣାକୁ ଲୁଚାଇବା ପାଇଁ ଅଭିଯୁକ୍ତମାନେ ଗାଁରେ ଅପେରା ଦେଖିବାକୁ ଯାଇଥିବା ନେଇ ତଦନ୍ତରେ ସୂଚନା ମିଳିଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଦିଲ୍ଲୀପଙ୍କ ମା’ ସୌରୀ ସେଠୀଙ୍କ ଅଭିଯୋଗ ପରେ ବାଗଡ଼ିଆ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୈଷୟିକ ତଥ୍ୟ ଓ ସ୍ଥାନୀୟ ସୂଚନା ଆଧାରରେ ଉଭୟଙ୍କୁ ଧରାଯାଇଥିଲା। ତଦନ୍ତ ସମୟରେ ଏକ କୁରାଢ଼ି, ଅଭିଯୁକ୍ତମାନେ ବ୍ୟବହାର କରିଥିବା ସନ୍ଦେହ ହେଉଥିବା କପଡ଼ା ଓ ରକ୍ତଲଗା ପୋଷାକ ଜବତ କରାଯାଇଛି। ଡିଏଫ୍ଏସ୍ଏଲ୍ ବିଶେଷଜ୍ଞଙ୍କ ସହାୟତାରେ ଘଟଣାସ୍ଥଳ ଯାଞ୍ଚ କରାଯାଇଥିବା ବେଳେ ଜବତ ସାମଗ୍ରୀର ବୈଜ୍ଞାନିକ ପରୀକ୍ଷା ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି।
ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଓ ଏସ୍ସି-ଏସ୍ଟି ଅତ୍ୟାଚାର ନିରୋଧୀ ଆଇନର ବିଭିନ୍ନ ଧାରା ଲାଗୁ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଫୋରେନସିକ୍ ପରୀକ୍ଷା ରିପୋର୍ଟ ଆସିବା ପରେ ତଦନ୍ତରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।