ମୁଖ୍ୟ ଖବର

କାର୍ଗିଲ ବିଜୟ ଦିବସ ପାଳିଲା ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ

By Biswaranjan Pattnaik

July 26, 2023

ଅନୁଗୁଳ: ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ୧୯୯୯ ଜୁଲାଇ ୨୬ ରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟ ହୋଇଥିଲା। ଭାରତର ବୀର ଯବାନଙ୍କ ଆଗରେ ପାକିସ୍ତାନ ସୈନିକ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧରେ ଭାରତର ୫୨୭ ସୈନିକ ସହିଦ ହୋଇଥିବା ବେଳେ ୧୩୦୦ ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ସେହି ସହିଦଙ୍କ ସ୍ମୃତିରେ ସାରା ଭାରତରେ ଏହି ଦିନକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି ବୋଲି ଅତିଥିମାନେ କହିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ୍ କୁମାର ରାଏ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ବରିଷ୍ଠ ଆଇନଜୀବୀ ତଥା ସ୍ତମ୍ଭକାର ରୁଚିର ପାଣିଗ୍ରାହୀ ଓ ମହାରାଣୀ ଚାରିଟେବୁଲ୍ ଟ୍ରଷ୍ଟର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଅଜୟ ଦଳବେହେରା, ସ୍ମୃତି ପରିଷଦର ଆବାହକ ବିଶ୍ବରଞ୍ଜନ ପଟ୍ଟନାୟକ, ପର୍ଶୁରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ମୃତି ପରିଷଦର ସଭାପତି ପ୍ରତାପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ସମାଜ ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଅବସରପ୍ରାପ୍ତ ସହଯୋଗୀ ଅଧ୍ୟାପକ ତଥା ଚିତ୍ରଶିଳ୍ପୀ ଲମ୍ବୋଦର ନାୟକ ଓ ଅନୁଗୁଳ ମୌସୁମୀ ସୂଚନା ବିଭାଗର ବରିଷ୍ଠ କିରାଣୀ ଭଗବାନ ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଛାତ୍ରୀ ମାନେ ଉପସ୍ଥିତ ଥିଲେ।