କଳା ଓ ସଂସ୍କୃତି

କାରିଗରପଡ଼ାରେ କୁମାର ଉତ୍ସବ ଉଦଯାପିତ: କଳା ସଂସ୍କୃତି ପରମ୍ପରା ଆଧାରିତ ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ

By Angul TV Bureau

October 18, 2024

 

ଅନୁଗୁଳ: ତାଳଚେର ସ୍ଥିତ କାରିଗରପଡ଼ା ଯୁବକ ସଂଘ ପକ୍ଷରୁ କୁମାର ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗତ ଚାରି ଦିନ ଧରି ବିଭିନ୍ନ ଆକର୍ଷଣୀୟ ଖେଳ ସହ ହୁଳହୁଳି, ପୁଚି, ଦୌଡ଼ି ଡିଆଁ, ଦୌଡ଼, ଶଙ୍ଖ ଫୁଙ୍କା, ନୃତ୍ୟ, ସଙ୍ଗୀତ,ବକ୍ତୃତା, ହସ୍ତାକ୍ଷର, ପ୍ରବନ୍ଧ ଲିଖନ ଇତ୍ୟାଦି ପ୍ରତିଯୋଗିତା ଚାଲିଥିଲା। ଶତାଧିକ ପ୍ରତିଯୋଗୀ ଉତ୍ସବରେ ଭାଗ ନେଇଥିବା ବେଳେ ଶେଷରେ କୃତୀ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା।

ଅନୁଷ୍ଠାନର ସଭାପତି ସୁମିତି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ ଯୋଗ ଦେଇ କାରିଗରପଡାର ଏହି କଳା ସଂସ୍କୃତି ପରମ୍ପରା ଆଧାରିତ କାର୍ଯ୍ୟକ୍ରମ ମାଧ୍ୟମରେ ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ଼ଃ ରଶ୍ମିରଞ୍ଜନ ମିଶ୍ର ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆଗାମୀ ପିଢି ପାଇଁ ଶିକ୍ଷଣୀୟ ହେବ ବୋଲି ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ କାଉନସିଲର ଜିତେନ୍ଦ୍ର ଦାସ ଉତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପରେ କାର୍ଯ୍ୟ ସମ୍ପାଦନ କରୁଥିବା ଅନୁଷ୍ଠାନର ପୁରାତନ ସଦସ୍ୟ ସାମ୍ବାଦିକ ତପନ କୁମାର ମହାରଣାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କରୁଣାକର ବାଇ, ଗଣେଶ ପୂଜା କମିଟିର ସଭାପତି ପ୍ରୀତେଶ ପଟ୍ଟନାୟକ, କାଉନସିଲର ସନ୍ତୋଷ ବେହେରା, ବାନା ମହାପାତ୍ର, ଧୀରେନ ମହାରଣା, ବିଜୟ ସାହୁ, ବାବୁନା ମହାରଣା, ପିଣ୍ଟୁ ସାହୁ, ଟୁନା ମହାପାତ୍ର, ମାନସ ମହାରଣା, କମଳ ପଟ୍ଟନାୟକ, ରାଖଲ ମହାପାତ୍ର, ସିପୁନ ସାହୁଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ସହଯୋଗ କରିଥିଲେ।