ମୁଖ୍ୟ ଖବର

ଖୋଲୁଛି ନରି ଢାବାର ଗୁମର: ରାତି ବଢ଼ିଲେ ଏଠି ବଢ଼େ ଭିଡ଼, ଜମେ ସମ୍ଭ୍ରାନ୍ତ ଦାୟଦଙ୍କ ଆସର

By Angul TV Bureau

August 03, 2023

ଅନୁଗୁଳ: ଖୋଲୁଛି ନରି ଢାବାର ଗୁମର। କରଡ଼ାଗାଡିଆ ଆନନ୍ଦ ବଜାର ସ୍ଥିତ ନରି ଢାବାର ମାଲିକ ଗିରଫ ହେବା ପରେ ଏଠାରେ ଚାଲିଥିବା ରଙ୍ଗୀନ କାର୍ଯ୍ୟ କଳାପ ଧୀରେ ସାମ୍ନାକୁ ଆସୁଛି। ଢାବାରେ ଗ୍ରାହକଙ୍କୁ ମନ ପସନ୍ଦର ନାଲି ପାଣି ମିଳୁଥିଲା। ଖୋଦ କର୍ମଚାରୀମାନେ ସବୁଦିନିଆ ଗ୍ରାହକଙ୍କ ମନକୁ ମୋହିଲା ପରି ଭଳିକି ଭଳିକି ବ୍ରାଣ୍ଡର ମଦ ଯୋଗାଇ ଦେଉଥିଲେ। ସନ୍ଧ୍ୟା ହେଲେ ସମ୍ଭ୍ରାନ୍ତ ଘରର ପିଲା ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏଠାରେ ଭିଡ଼ ଜମେ। ନିୟମିତ ଗ୍ରାହକଙ୍କ ପାଇଁ ଏଠାରେ ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯାଏ। ସେମାନେ ବସୁ ବସୁ ସାମ୍ନା ଟେବୁଲରେ ଥୁଆ ହୋଇଯାଏ ମିନେରାଲ ପାଣି। ଆଉ ତା’ ପରେ ମନ ପସନ୍ଦର ବ୍ରାଣ୍ଡର ଆସର ଜମେ।ମଜାକୁ ଦୁଇ ଗୁଣ କରିବାକୁ ନିୟମିତ ଗ୍ରାହକଙ୍କୁ ଫ୍ରାଏ ଜାଗାରେ ମିଳେ ଡବଲ ଫ୍ରାଏ ଡିସ। ଆଉ ଏଥିରେ ମଜ୍ଜି ଯାଇ ରାତିକୁ ରଙ୍ଗୀନ କରନ୍ତି କଷ୍ଟମର। ଏଠାରେ ଭଲ ଭଲ ବ୍ରାଣ୍ଡ ସବୁ ଗୁପ୍ତ ସ୍ଥାନରେ ରହେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଢାବା ଖୋଲା ଥାଏ।

ଜଣେ କୁଖ୍ୟାତ ମଦ ମାଫିଆଙ୍କ ଛତ୍ର ଛାୟା ତଳେ ଥିବା ନରି ଏହିପରି ଭାବରେ ଦୀର୍ଘ ଦିନ ଧରି ଅବାଧରେ ବ୍ୟବସାୟ ଚଳାଇ ଆସିଥିଲା। କିନ୍ତୁ ଚୋର ଘର ସବୁ ବେଳେ ଅନ୍ଧାର ନ ଥାଏ ନ୍ୟାୟରେ ନିକଟରେ ପୋଲିସ ଏହି ଢାବାରେ ଅତର୍କିତ ଚଢ଼ଉ କରି ନରିକୁ ଗିରଫ କରିଥିଲା। ତେବେ ଏ ନେଇ ସଦର ଥାନା ପୋଲିସ ଆଇଆଇସିଙ୍କୁ ପଚାରିବାରୁ ସେ କହିଛନ୍ତି, ଏଣିକି ଉକ୍ତ ଢାବା ଉପରେ ଆମେ ସତର୍କ ଦୃଷ୍ଟି ରଖିଛୁ। କୌଣସି ଅଭିଯୋଗ ଆସିଲେ ପୁଣି ଚଢ଼ଉ କରାଯିବ ବୋଲି ଆଇଆଇସି କହିଛନ୍ତି।