ମୁଖ୍ୟ ଖବର

ଅନ୍ଧବିଶ୍ୱାସରୁ କିଆକଟାରେ ନରବଳି ?

By Biswaranjan Pattnaik

July 29, 2023

 

ଅନୁଗୁଳ: ଆଜି ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବାରେଣି ଜଙ୍ଗଲରୁ ଏକ ନାବାଳକର କ୍ଷତ ବିକ୍ଷତ ଶବ ମିଳିବା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ଅପାରଗତା ହେତୁ ଏଭଳି ହତ୍ୟାକାଣ୍ଡ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରି ବାରେଣୀ ନିକଟରେ ଆଠମଲ୍ଲିକ କିଆକଟା ରାସ୍ତାକୁ ଅବରୋଧ କରିଥିଲେ। ଘଟଣାରୁ ପ୍ରକାଶ ଯେ, ଗତ ୨୩ ତାରିଖରେ ସୁବର୍ଣ୍ଣପୁର ଗାଁର ବାସନ୍ତୀ ବିଶ୍ବାଳଙ୍କ ୧୪ ବର୍ଷର ପୁଅ ସଞ୍ଜୀବ ବିଶ୍ବାଳ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସଞ୍ଜୀବର ଦେହ ବାରମ୍ବାର ଖରାପ ହେଉଥିବାରୁ ମା ପୁଅ ପାଖ ଟୁସର ଗାଁର ରିତା ବାଘଙ୍କ ଘରେ ଥିବା ମଙ୍ଗଳା କୋଠୀକୁ ପୂଜା ପାଠ ପାଇ ଯାଇଥିଲେ।ତେବେ ସେଠାକୁ ଆସୁଥିବା ଜଣେ ପୂଜକ ମା-ପୁଅଙ୍କୁ ରାତିରେ ଘରକୁ ନ ଯାଇ ପୂଜା ପାଠ ପରେ ସେଠାରେ ରହିଯିବାକୁ ପ୍ରବାର୍ତାଇଥିଲେ।

ତେବେ ସକାଳେ ବାସନ୍ତୀ ପୁଅ କୁ କୋଠୀରେ ପାଇ ନ ଥିଲେ।ବହୁ ଖୋଜା ଖୋଜି ପରେ ନ ମିଳିବାରୁ ଥାନାରେ ଏତଲା ଦେଇଥିଲେ।କିନ୍ତୁ ପୋଲିସ ପୂଜକକୁ ଥାନାକୁ ଆଣି ପଚରା ଉଚରା ପରେ ଛାଡି ଦେଇଥିଲା। ଆଜି ବାରେଣି ଜଙ୍ଗଲରୁ ସଞ୍ଜୀବର ଶବ ମିଳିବା ପରେ ଗାଁ ଲୋକେ ଏହା ନରବଳୀ ବୋଲି ଧରି ନେଇଥିଲେ। ଖବର ପାଇ କିଆକଟ। ଥାନାରୁ ଷ୍ଟାଫ୍ ଘଟଣା ସ୍ଥଳକୁ ଆସିଥିବାବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେବା ସହ ପୋଲିସକୁ ମାରିବାକୁ ଗୋଡ଼ାଇ ଥିଲେ।

ଖବର ପାଇ ଆଠମଲ୍ଲିକ ଉପଜିଲ୍ଲାପାଳ ପୋଲିସ ବାହିନୀ,ଅଗ୍ନିଶମ ବାହିନୀ ସହ ପହଞ୍ଚି ଲୋକଙ୍କ ସହ କଥା ବାର୍ତା ଆରମ୍ଭ କରିଥିଲେ। କିନ୍ତୁ ଶହ ଶହ ମହିଳା ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତ କୁ ଧରିବା ପାଇଁ ଦାବି କରିଥିଲେ।ଇତି ମଧ୍ୟରେ ସାଇନଟିଫିକ ଟିମ୍ ମଧ୍ୟ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ସନ୍ଧ୍ୟା ସୁଦ୍ଧା ରାସ୍ତା ଅବରୋଧ ହଟି ନ ଥିବା ଜଣା ପଡ଼ିଛି।କଥା ଉଠୁଛି ୧୪ ବର୍ଷର ପୁଅ ପିଲାକୁ କିଏ କେମିତି ଘରୁ ଉଠାଇନେଲା?

ପିଲାଟିର ହାତ ଗୋଡକୁ ହାଣି ଦିଆ ଯାଇଥିବାରୁ ଏକାଧିକ ଲୋକ ଏଥିରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଘଟଣା ପଛରେ ଖାଲି ବଳି ନା ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ତାହା ପୋଲିସ ତଦନ୍ତ ରୁ ଜଣାପଡ଼ିବ ।