ଅନୁଗୁଳ: ଦଣ୍ଡନୃତ୍ୟରେ ଦେଖା, ତା’ ପରେ ବନ୍ଧୁତା, ପ୍ରେମ ଓ କୋର୍ଟରେ ବିବାହ ପରେ ଏବେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅନୁଗୁଳର ଜଣେ କିନ୍ନର। ନ୍ୟାୟ ପାଇବା ଆଶାରେ ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି କିନ୍ନର ସଂଘ। ଏହି କିନ୍ନର ହେଉଛନ୍ତି ସ୍ଥାନୀୟ ଶିମିଳିପଡ଼ାର ପ୍ରଶାନ୍ତ ସାହୁ ଓରଫ ପିଣ୍ଟୁ। ସେ ଦଣ୍ଡ ନୃତ୍ୟ ଓ ବିବାହରେ ନାଚ କରି ଗୁଜୁରାଣ ମେଣ୍ଟାନ୍ତି। ତାଙ୍କ ଘର ପାଖେ ରହୁଥିବା ଆଲୋକ ସ୍ୱାଇଁଙ୍କ ସହ ଧୀରେ ଧୀରେ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କ୍ରମେ ଏହା ବିବାହର ରୂପ ନେଲା। ଲୋକନିନ୍ଦାକୁ ପଛରେ ପକାଇ ପରିବାରର ସହମତି ଓ କିନ୍ନର ସଂଘର ଉପସ୍ଥିତିରେ ଉଭୟେ ୬ ବର୍ଷ ତଳେ ବିବାହ କରିଥିଲେ। ଘର ବାହାରେ କିଛି ଦିନ ରହିବା ପରେ ବୋହୂର ସମ୍ମାନ ସହ ନିଜ ଘରକୁ ମଧ୍ୟ ନେଇଥିଲେ ଆଲୋକ। କିନ୍ତୁ ତା ପରଠାରୁ ଆରମ୍ଭ ହୋଇଥିଲା ନିର୍ଯାତନା।
ଏ ନେଇ ସ୍ୱାମୀ ଆଲୋକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଅନୁଗୁଳ ଆଦର୍ଶ ଥାନାରେ ସଙ୍ଗୀନ ଅଭିଯୋଗ କରିଛନ୍ତି କିନ୍ନର। ତାଙ୍କ ଅଭିଯୋଗ ମୁତାବକ ସ୍ୱାମୀ ଆଲୋକ ତାଙ୍କ ଠାରୁ ୬ ଲକ୍ଷ ଟଙ୍କା ଓ ସୁନା ଗହଣା ନେଇଛନ୍ତି। ସ୍ୱାର୍ଥ ହାସଲ ପରେ ଏବେ ସେ ତାଙ୍କୁ ପ୍ରତାରଣା ଓ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏମିତିକି ହତ୍ୟା ଧମକ ମଧ୍ୟ ଦେଉଛନ୍ତି। ପ୍ରତିଦିନ ଆଲୋକଙ୍କ ପରିବାର ତାଙ୍କ ଘରକୁ ଆସି ଗାଳି ଗୁଲଜ କରି ଧମକ ଦେଉଥିବାରୁ ବାଧ୍ୟ ହୋଇ ସେ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି।