ଅନୁଗୁଳ: ଚାଷୀ ବହୁଳ ଅଞ୍ଚଳ ହେଉଛି ବନ୍ତଳା। ଏଠାରେ ବର୍ଷକ ବାର ମାସ ଲୋକେ ଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଚାଷ ପାଇଁ ଆବଶ୍ୟକ ମୁତାବକ ପାଣି ଏଠାରେ ମିଳୁନାହିଁ। ଜଳସେଚନର ସୁବିଧା ନ ଥିବାରୁ ଚାଷ ଜମି ପଡ଼ିଆ ପଡୁଛି। ବର୍ତ୍ତମାନ ରାଜନୀତି ସରଗରମ ହେଉଥିବା ବେଳେ ହିଡିସିଙ୍ଗ ଜଳସେଚନ ପ୍ରକଳ୍ପ ଏବଂ ଦମକଳ କେନ୍ଦ୍ର ପାଇଁ ବନ୍ତଳା ଅଞ୍ଚଳବାସୀଙ୍କ ଦୀର୍ଘ ଦିନ ହେଲା ମୁଖ୍ୟ ଦାବି ରହିଛି। ନିର୍ବାଚନ ଆସିଲେ ନେତା ଆସନ୍ତି ଆଉ ଏଇ ବର୍ଷ ହେବ ଆସନ୍ତା ବର୍ଷ ହେବ ବୋଲି କହି ଭୋଟ ନିଅନ୍ତି। କିନ୍ତୁ ନିର୍ବାଚନ ସରିଲା ପରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ନେତା ମାନେ ଭୁଲି ଯାଆନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି।
ଅନୁଗୁଳ ବିଧାୟକ ଭାବେ ରଜନୀକାନ୍ତ ସିଂହ କୋଡ଼ିଏ ବର୍ଷ ରହିଥିଲେ ବି ବନ୍ତଳା ଅଞ୍ଚଳରେ ହିଡିସିଙ୍ଗ ଜଳସେଚନ ପ୍ରକଳ୍ପ ହୋଇପାରିନାହିଁ। ଏହି ପ୍ରକଳ୍ପ ହେଲେ ୧୪ଟି ପଞ୍ଚାୟତର ପ୍ରାୟ ୩୫ଟି ଗାଁରେ ପାଣି ମାଡ଼ିବ। ଆଉ ଚାଷୀ ମାନେ ଉପକୃତ ହେବେ। କିନ୍ତୁ ଏବେ ଯାଏଁ ତାଙ୍କ ଦୁଃଖ ବୁଝି ନଥିବାରୁ ବିଧାୟକଙ୍କୁ ବନ୍ତଳାବାସୀ ଚଳିତ ବର୍ଷ ଉଚିତ ଜବାବ ଦେବେ ବୋଲି ଯୋଜନା କରିଥିବା ଜଣାପଡିଛି। ଯଦିଓ ଚଳିତ ବର୍ଷ ବିଜୁ ଜନତା ଦଳ ମହିଳା ପ୍ରାର୍ଥୀ କରିଛି କିନ୍ତୁ ରଜନୀକାନ୍ତ ସିଂହଙ୍କ ସ୍ତ୍ରୀଙ୍କୁ ଦଳ ଟିକେଟ ଦେଇଥିବାରୁ ମଧ୍ୟ ବନ୍ତଳା ଅଞ୍ଚଳରୁ ଭୋଟ ହାର କମିବ ବୋଲି ସୂଚନା ମିଳିଛି।
ସେହିପରି ବନ୍ତଳା ଅଞ୍ଚଳରେ ଦମକଳ କେନ୍ଦ୍ର ପାଇଁ ଦାବି ଥିଲେ ବି ତାହା ଆଜି ଯାଏଁ ପୂରଣ ହୋଇନି। ଗତ ବର୍ଷ ଭି କେ ପାଣ୍ଡିଆନ ୫ଟି ସଚିବ ଥିଲା ବେଳେ ବନ୍ତଳା ଅଞ୍ଚଳକୁ ଆସି ଦମକଳ କେନ୍ଦ୍ର ଖୋଲା ଯିବାକୁ ଦାବିପତ୍ର ନେଇଥିଲେ। ରାଜ୍ୟ ସରକାର ଦମକଳ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେବା ସହିତ ଅଗ୍ନିଶମ ବାହିନୀର ସମସ୍ତ ଉପକରଣ ଅନୁଗୁଳ ଦମକଳ କେନ୍ଦ୍ର ଠାରେ ରଖା ଯାଇଛି। କିନ୍ତୁ ଜାଗା ନଥିବା ଦର୍ଶାଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ହୋଇ ନାହିଁ।
ଏହି ଦୁଇଟି ବନ୍ତଳାବାସୀଙ୍କ ମୁଖ୍ୟ ଦାବି ବିଧାୟକ ରଜନୀକାନ୍ତ ସିଂହ କୋଡ଼ିଏ ବର୍ଷ ଭିତରେ ପୂରଣ କରିପାରି ନାହାନ୍ତି। ଏଣୁ ବନ୍ତଳା ଅଞ୍ଚଳର ଲୋକେ ବିଜେଡି ଉପରେ ଆଉ ଆସ୍ଥା ପ୍ରକଟ କରିପାରୁନାହାନ୍ତି। ଏହି କାରଣରୁ ଏଥରକ ବିଜେଡିକୁ ଭୋଟ ହ୍ରାସ ପାଇବ ବୋଲି ଅଞ୍ଚଳବାସୀ କହିଛନ୍ତି।