କଳା ଓ ସଂସ୍କୃତି

ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ,ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

By Sanjeeb Biswal

September 01, 2023

ଛେଣ୍ଡିପଦ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୋଶଳା ଗ୍ରାମର ମା’ରାମଚଣ୍ଡୀ ଠାକୁରାଣୀଙ୍କ ୪ଦିନ ବ୍ୟାପି ବାର୍ଷିକ ଯାତ୍ରା,ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ମହାସମାରୋହରେ ଆରମ୍ଭ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ଗହଳିରେ ଆରମ୍ଭ ହୋଇଥିବା ମା’ଙ୍କ ପୂଜାର୍ଚ୍ଚନା ଯଥାରୀତିନିତି ଅନୁସାରେ ସମ୍ପର୍ଣ୍ଣ କରାଯାଇଥିଲା। ଯାତ୍ରା ଦିନ ଦେହୁରୀ ପ୍ରତ୍ୟୁଷରୁ ପ୍ରଥମେ ପୀଠ ଓ ବାଳଧୁପ ପୂଜା କରନ୍ତି । ସକାଳୁ ୧ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିଥାନ୍ତି । ପରେ ଦିନ ୨ଟାରେ ଢ଼ୋଲ,ନିଶାଣ,ଘନ୍ଟ,ଘନ୍ଟିି,ଛତି,ତରାସ,ସହ ଏକ ବିରାଟ ପଟୁଆରରେ ପୀଠକୁ ଆସନ୍ତି । ପ୍ରଥମେ ଛାଟ ଖୁମ୍ବ ଓ ଖୁମ୍ବେଶ୍ୱରୀଙ୍କ ପୂଜା ପରେ ଦିଆଣୀ ଦେହରେ ଠାକୁରାଣୀ ଆବିର୍ଭାବ ହୁଅନ୍ତି । ବେଢ଼ା ଭିତରେ ଅଧିଆ ପଡିଥିବା ଭକ୍ତ ମାନଙ୍କୁ ଉଠାଇ ଦିଆଣୀ ପ୍ରସାଦ ସହ ଆଶିର୍ବାଦ ପ୍ରଦାନ କରିଥାନ୍ତି ।

ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଲୋକନାଥ ପ୍ରଧାନଙ୍କ ପତ୍ନୀ ଗୌରୀ ପ୍ରଧାନ ସକାଳ ୮.୩୦ରେ ଯାତ୍ରାର ପରମ୍ପରା ଅନୁଯାୟୀ ଜାତୀୟ ପତାକା ଉତୋଳନ କରିଥିଲେ । ପୂଜା ଅବସରରେ ମାନସିକ ରଖିଥିବା ଭକ୍ତ ମାନେ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିର ବେଢ଼ା ଭିତରେ ଅଧିଆ ପଡିଥାନ୍ତି । ଚଳିତ ବର୍ଷ ମୋଟ ୮୫ଜଣଙ୍କ ମଧ୍ୟରୁ ୪ଜଣ ପୁରୁଷଙ୍କ ସମେତ ୮୧ଜଣ ମହିଳା ବିଭିନ୍ନ ମାନସିକ ନେଇ ଠାକୁରାଣୀଙ୍କ ନିକଟରେ ଅଧିଆ ପଡିଥିଲେ ।୍ନ ୪ଟାରେ ମନ୍ଦିରର ମୂଖ୍ୟ ପୂଜକ ପଟାୟତ ଦେହୁରୀ ପୂଜା ସମାପ୍ତ କରି ମାନସିକ ଧାରୀକୁ ଭୋଗ ଦେଇଥିଲେ । ପୀଠ ସ୍ଥଳରେ ମୁଣ୍ଡନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରାୟ ୮୧୫ଜଣ ବିଭିନ୍ନ ମାନସକଧିାରୀଙ୍କ ମୁଣ୍ଡନ କରାଯାଇଥିଲା । ମନ୍ଦିର ଟ୍ରଷ୍ଟ୍ ବୋର୍ଡ ପକ୍ଷରୁ ଭକ୍ତ ମାନଙ୍କ ନିମନ୍ତେ ଅନ୍ନପ୍ରସାଦ ସକାଳ ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବ୍ୟବସ୍ଥା କରଯାଇଥିଲା । ଏହି ଯାତ୍ରାରେ ଟ୍ରଷ୍ଟ ବୋର୍ଡ ଓ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସ୍ୱାସ୍ଥ୍ୟସେବା,ପାନୀୟଜଳ,ସୁଚନା କେନ୍ଦ୍ର,ଚୁଟି ମୁଣ୍ଡନ,ଧାରଣା ଓ ଆଲୋକ ବ୍ୟବସ୍ତା ସହ ଶାନ୍ତିଶୃଙ୍ଖଳା ପାଇଁ ସ୍ୱେଛାସେବି ସଂଗଠନଙ୍କୁ ନିୟୋଜିତ କରାଯାଇଛି । କୋଶଳା ଗ୍ରାମ୍ୟ କମିଟି ସଭାପତି ବ୍ରଜକିଶୋର ସାହୁ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ,ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟର ସଭାପତି ଉଦିତ କୁମାର ପ୍ରଧାନ,ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।