ମୁଖ୍ୟ ଖବର

ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନି ପ୍ରଶାସନ, ଧାରଣା ଦେବାକୁ ଚେତାବନୀ ଦେଲେ ଗାଁ ଲୋକେ

By Angul TV Bureau

May 17, 2022

ଅନୁଗୁଳ: ଜବରଦଖଲ ଉଚ୍ଛେଦ ଦାବି କରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ କୁମଣ୍ଡ ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ସ୍ଥାନୀୟ କୁମଣ୍ଡ ଅଞ୍ଚଳରେ ଦୀର୍ଘ ଦିନ ହେଲାଣି ଅଜଣା ଲୋକମାନେ ଗାଣ୍ଡୁପଡିଆ, ପଶ୍ଚିମେସ୍ୱର ମନ୍ଦିର ଓ ଗ୍ରିଡ୍ ପାଖ ପଡିଆକୁ ଜବରଦଖଲ କରି ରଖିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏଣୁ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ। ଏହାର ଶୁଣାଣି କରି ୨୦୧୨ ମସିହାରେ ହାଇକୋର୍ଟ ତୁରନ୍ତ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଜିଲ୍ଲା ପ୍ରଶାସନ, ପୁଲିସ କିମ୍ବା ତହସିଲ ପକ୍ଷରୁ ଏବେ ଯାଏଁ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏଣୁ ଅସନ୍ତୁଷ୍ଟ ଗ୍ରାମବାସୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବା ଯାଏଁ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୬ ତାରିଖ ସୁଦ୍ଧା ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ ହେଲେ ମେ’ ୨୭ରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବେ ବୋଲି କୁମଣ୍ଡ ଗାଁ ସଭାପତି କର୍ଣ୍ଣ ସାହୁ, ସରପଞ୍ଚ ସନ୍ତୋଷିନୀ ଦେହୁରୀଙ୍କ ସମେତ ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।