ମୁଖ୍ୟ ଖବର

ରାଣୀଗୋଡ଼ାରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗ୍ରାମେଶ୍ୱରୀ ବଗାଧରଙ୍କ ବାର୍ଷିକ ପୂଜା ଆୟୋଜିତ

By Angul TV Bureau

October 06, 2025

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ସ୍ଥାନୀୟ ରାଣୀଗୋଡା ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମେଶ୍ୱରୀ ମା’ ବଗାଧରଙ୍କ ବାର୍ଷିକ ପୂଜା ଉତ୍ସବ ପାଳିତ ହୋଇଛି। ଆଜି ପୂର୍ବାହ୍ନରେ ସାମନ୍ତସାହିରେ ଥିବା ମା’ ଙ୍କ ଦିଅଁ ଘରୁ ଗ୍ରାମେଶ୍ୱରୀ ବଗାଧରଙ୍କ ସୁସଜ୍ଜିତ “ବିଜେ ପ୍ରତିମା” “ଆଲମ” କୁ ଘଣ୍ଟ, ଘଣ୍ଟା, ଶଙ୍ଖ, ଢୋଲ, ମହୁରୀ, ଘଣ୍ଟୁଆ ଦଳ, ଲଉଡ଼ି ଦଳ ଓ ଆତସବାଜିର ଏକ ବିରାଟ ଶୋଭାଯାତ୍ରାରେ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା। ମା’ ଙ୍କ ବିଜେ ପ୍ରତିମା “ଆଲମ” ଶୋଭାଯାତ୍ରାରେ, ସିଂହ ବାଜା, ଭାଙ୍ଗଡ଼ା ବାଦ୍ଯ, ଛତ୍ରି ତରାସ, ପାଇକବାହିନୀ ସାମରିକ ଅସ୍ତ୍ରଶସ୍ତ୍ର ଖଣ୍ଡା, ଢାଲ, ବର୍ଚ୍ଛା, ଧନୁ, ତୀର ଆଦି ଧାରଣ କରି ଯିବାର ଦେଖାଯାଇଥିଲା।

ଗ୍ରାମ ପରିକ୍ରମା ସମୟରେ ପ୍ରତି ଘର ଦାଣ୍ଡ ଦୁଆରେ ଗୋବରରେ ଲିପି ଝୋଟି ଚିତା ପକାଇଥିଲେ। ମହିଳାମାନେ ମା’ଙ୍କ “ବିଜେ ପ୍ରତିମା”କୁ ବନ୍ଦାପନା କରିଥିଲେ। ଗ୍ରାମ ପରିକ୍ରମା ପରେ ପୀଠର ଆସ୍ଥାନ ଉପରେ ମା’ଙ୍କ “ଆଲମ” କୁ ବିଜେ କରାଯିବା ପରେ ପୂଜକ ଭାଗୀରଥି ଦେହୁରୀ ଏବଂ ସହଯୋଗୀ ପ୍ରଥମେ ମାର୍ଜନା ତା’ ପରେ ବିଧି ଅନୁଯାୟୀ ପ୍ରଥମ ଷୋଡ଼ଶ ଉପଚାର ପୂଜା ନୀତି ସମ୍ପନ୍ନ କରାଯାଇଥିଲା। ଶତାଧିକ ମାନସିକ ଧାରୀ ଠାକୁରଙ୍କ ପାଖରେ ମୁଣ୍ଡନ କରିଥିଲେ। ପ୍ରଥମ ପୂଜା ପରେ କିଛି ଗ୍ରାମବାସୀ ମା’ଙ୍କ ଆଜ୍ଞାମାଳ ନେଇ “ପତିଆର” (କାଳସୀ) କୁ ଡାକିବାକୁ ଯାଇଥିଲେ।

ଷୋଡ଼ଶ ଉପଚାରରେ ପୂଜା କରି ଘଣ୍ଟ ଘଣ୍ଟା ଢୋଲ ମହୁରୀ ବାଦ୍ୟ ନାଦରେ “ପତିଆର” ଦେହରେ ମା’ ଙ୍କୁ ଆବିର୍ଭୂତା କରାଇଥିଲେ। ମା’ ଙ୍କ ଆବିର୍ଭାବ ପରେ ପତିଆର/କାଳସୀଙ୍କୁ ପୂଜା ମଣ୍ଡପକୁ ପାଛୋଟି ଆଣି ଥିଲେ। ରାତିରେ ବିଧି ଅନୁଯାୟୀ “ଗ୍ରାମେଶ୍ୱରୀ” ଙ୍କ ବଡ ପୂଜା ମଧ୍ଯ ସମ୍ପନ୍ନ କରାଯାଇଥିଲା।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ପୋଲିସ ସହାୟତା ନିଆଯାଇଛି। ଦର୍ଶକଙ୍କୁ ରାତିସାରା ବାନ୍ଧି ରଖିବା ପାଇଁ ମନଷ୍ଟାର କ୍ଲବର ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ସହ ଦୁଇ ଦିନ ଧରି ଏକକ, ଦଳଗତ କନିଷ୍ଠ ଏବଂ ବରିଷ୍ଠ ବର୍ଗର ନୃତ୍ୟ ପ୍ରତିଯୋଗିତା ଏବଂ ଅପେରା ପରିବେଷଣ କାର୍ଯ୍ୟକ୍ରମ ରହିଛି।

ଉଦଘାଟନୀ ସନ୍ଧ୍ଯାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଅତିଥି ଭାବରେ ଉପସ୍ଥିତ ଥିଲେ। ଉତ୍ସବକୁ କମଳ ଲୋଚନଦାସ, ଭାଗୀରଥି ଦେହୁରୀ, କୁମୁଦ ଦାସ, ବିଚିତ୍ରା, ବୀରେନ୍, ବିଦ୍ୟାଧର, ଭବାନୀ, ତୁଷାର, ପିଙ୍କୁ, ଲିଟନ, ସାଗର, ବିକାଶ, ଜଟି, ସମ୍ବିତ, ଚିନ୍ମୟ, ଚଗଲା , ସିଲୁ, ଦିଲ୍ଲୀପ, ଆଭାସ, ଜ୍ଞାନୀ, ହାପି, ଜଗା, ପୂର୍ଣ୍ଣ ଚନ୍ଦ୍ର ସିଂହ ସାମନ୍ତ, ତ୍ରେତାନନ୍ଦ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ।