ଘଟଣା ଓ ଦୁର୍ଘଟଣା

ଜଙ୍ଗଲୀ କୁଟୁରାକୁ ଶିକାର କରି ଫେରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ: ଜଣେ ଗିରଫ, ବୋଲେରୋ ଜବତ

By Angul TV Bureau

July 20, 2024

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ସମଳ, ଗୋଡ଼ାପଦା ନିକଟସ୍ଥ ଜଙ୍ଗଲରୁ ଏକ ଜଙ୍ଗଲୀ କୁଟୁରାକୁ ଶିକାର କରିବା ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଈଶ୍ୱର ନଗର ଗାଁର ମିଲନ କୁମାର ବିଶ୍ଵାଳ। ତାଙ୍କ ଠାରୁ ବୋଲେରୋ ଗାଡ଼ି ଏବଂ କୁଟୁରା ମାଂସ ଜବତ ହୋଇଛି।

ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗର କର୍ମଚାରୀ ଶୁକ୍ରବାର ରାତି ଏଗାରଟାରେ ଈଶ୍ଵର ନଗର ଗାଁ ମୁଣ୍ଡରେ ଛକି ବସିଥିଲେ। ଏହି ସମୟରେ ମିଲନ ବିଶ୍ଵାଳ ଏକ ବୋଲେରୋ ଗାଡ଼ିରେ ସମଳ ଗାଁ ପଟୁ ପାଳଲହଡ଼ା ଆଡ଼କୁ ଆସୁଥିବା ବେଳେ ବନ ବିଭାଗ କର୍ମଚାରୀ ତାଙ୍କୁ ଅଟକାଇ ଗାଡ଼ି ତନଖି କରିଥିଲେ। ତନଖି ବେଳେ ବୋଲେରୋ ଗାଡ଼ିରୁ ଚାରି କିଲୋରୁ ଅଧିକ ଜଙ୍ଗଲୀ କୁଟୁରା ମାଂସ ପାଇଥିଲେ। ମିଲନ କୌଣସି ସନ୍ତୋଷ ଜନକ କାରଣ ଦର୍ଶାଇ ନ ପାରିବାରୁ ବନ ବିଭାଗ ମିଲନ ଏବଂ ବୋଲେରୋ ଗାଡ଼ି ସହିତ କଟା ମାଂସକୁ ଜବତ କରିଥିଲେ। ଶନିବାର ମିଲନକୁ ବନ୍ୟପ୍ରାଣୀ ଅଧିନିୟମ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ବନ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ଵାବଧାନରେ କଟା ମାଂସର ନମୁନାକୁ ସଂଗ୍ରହ କରି ଭୁବନେଶ୍ଵର ସ୍ଥିତ କୃଷି ବୈଷୟିକ ବିଶ୍ଵବିଦ୍ୟାଳୟକୁ ପରୀକ୍ଷା ପାଇଁ ପଠାଇଥିବା ଜଣାପଡ଼ିଛି।