ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ତାଳଚେର ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ରେଙ୍ଗାଲି ହାଇସ୍କୁଲ ପଡ଼ିଆଠାରେ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ ଓ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ଅବସରରେ ମନ୍ତ୍ରୀ ବିଭିନ୍ନ ବର୍ଗର ୩୮୫ ଜଣ ନିର୍ମାଣ ଶ୍ରମିକଙ୍କୁ ସର୍ବମୋଟ ୨ କୋଟି ୭୮ ଲକ୍ଷ ୧୯ ହଜାର ୮୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।
ସହାୟତା ରାଶି ମଧ୍ୟରେ ୧୮୯ ଜଣଙ୍କୁ ୯୪ ଲକ୍ଷ ୨୫ ହଜାର ଟଙ୍କାର ବିବାହ ସହାୟତା, ୭୨ ଜଣଙ୍କୁ ୧ କୋଟି ୭୩ ଲକ୍ଷ ଟଙ୍କାର ମୃତ୍ୟୁ ସହାୟତା ଏବଂ ୭୨ ଜଣଙ୍କୁ ୩ ଲକ୍ଷ ୬୫ ହଜାର ଟଙ୍କାର ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ପ୍ରଦାନ କରାଯାଇଛି। ଏହାବ୍ୟତୀତ ୩୮ ଜଣଙ୍କୁ ୫ ଲକ୍ଷ ୯୯ ହଜାର ୮୦୦ ଟଙ୍କାର ଶିକ୍ଷା ସହାୟତା ଏବଂ ୧୩ ଜଣଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କାର ମାତୃତ୍ୱ ସହାୟତା ରାଶି ମଧ୍ୟ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ୧୦୦ ଜଣ ନୂତନ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ସହ ସମୁଦାୟ ୭୦୦ ଜଣ ହିତାଧିକାରୀ ଶ୍ରମିକ ସହାୟତା ପ୍ରାପ୍ତ କରିଛନ୍ତି।
ଏହି ସ୍ୱତନ୍ତ୍ର ଶିବିରରେ ତାଳଚେର ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ, କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରା, ଅନୁଗୁଳ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀବୃନ୍ଦ, ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମିକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ପ୍ରିୟମ୍ବଦା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।