ମୁଖ୍ୟ ଖବର

ଅନୁଗୁଳରେ ଶ୍ରମିକଙ୍କୁ ଶୋଷଣ, ୧୮ଶହ ଟଙ୍କା ନେଇ ଲେବର କାର୍ଡ କରାଉଛନ୍ତି ଏଜେଣ୍ଟ; ଶ୍ରମ ଅଧିକାରୀଙ୍କ ପାଖେ ନାହିଁ ଖବର

By Angul TV Bureau

December 07, 2025

ଅନୁଗୁଳ: ଅନୁଗୁଳରେ ମାତିଛନ୍ତି ଲେବର କାର୍ଡ ଏଜେଣ୍ଟ। ୧୮ଶହ ଟଙ୍କା ନେଇ କରାଇ ଦେଉଛନ୍ତି ଲେବର କାର୍ଡ। ଅନୁଗୁଳ ଜିଲ୍ଲାରେ ଟଙ୍କା ନେଇ ଶ୍ରମ କାର୍ଡ କରାଇ ଦେବାକୁ ଚାରିଆଡ଼େ ବୁଲୁଛନ୍ତି ଏଭଳି ରାକେଟ୍‌ର ଏଜେଣ୍ଟ। ଶନିବାର ଅନୁଗୁଳ ବ୍ଲକ୍‌ ଡେରଜାଙ୍ଗ ସତ୍‌ସଙ୍ଗ କେନ୍ଦ୍ରଠାରେ ଏଭଳି ଏକ ଲେବର କାର୍ଡ ରାକେଟ୍‌ର ବୈଠକ ଚାଲିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି। ତେବେ ଗଣମାଧ୍ୟମକୁ ଦେଖି ହଠାତ୍‌ ଛତ୍ରଭଙ୍ଗ ଦେଇଥିଲେ ଲେବର କାର୍ଡ କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଲୁଟେରା। ଆଉ ଦୂର ଦୂରାନ୍ତର ଗାଁ ଗହଳିରୁ ଆସିଥିବା ଏ ଶ୍ରମିକଙ୍କୁ ଭଣ୍ଡେଇ କହିଥିଲେ, ଆଜି ଅଫିସର ଆସିଲେନି, ସେଥିପାଇଁ ଭେରିଫିକେସନ ହୋଇପାରୁନି, ପରେ ଡକାଯିବ।

ଏପଟେ ଲେବର କାର୍ଡ ପାଇଁ ଆସିଥିବା ଲୋକଙ୍କ ଅଭିଯୋଗ ହେଉଛି, ଲେବର କାର୍ଡ କରାଇଦେବାକୁ ଏମାନେ ୧୬ଶହରୁ ୧୮ଶହ ଟଙ୍କା ନେଉଛନ୍ତି। ନାମ ପଞ୍ଜୀକରଣ ବେଳେ ୨୦୦ ଟଙ୍କା ନେଉଛନ୍ତି। କାର୍ଡ ଦେଲା ବେଳେ ବଳକା ଟଙ୍କା ନେଇଥାନ୍ତେ। ଲୋକଙ୍କ କହିବା ଅନୁସାରେ, କିଛି ଲୋକ ପ୍ରଥମେ ଗାଁ ଆସୁଛନ୍ତି, ୨୦୦ ଟଙ୍କା ନେଇ ଲେବର କାର୍ଡ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ କରାଉଛନ୍ତି। ପରେ ଭେରିଫିକେସନ ପାଇଁ ଲେବର ଅଫିସ ପରିବର୍ତ୍ତେ ନିଜ ପସନ୍ଦର ଶୂନଶାନ୍‌ ଜାଗାକୁ ଡାକୁଛନ୍ତି। ସେଠାକୁ ଲେବର ଅଫିସ କର୍ମଚାରୀ କହି ନିଜେ ନିଜେ ଡକ୍ୟୁମେଣ୍ଟ ଭେରିଫିକେସନ ବି କରାଉଛନ୍ତି।

ଏନେଇ ଅନୁଗୁଳ ଯୁଗ୍ମ ଶ୍ରମ ଆୟୁକ୍ତ କହିଛନ୍ତି, ଶନିବାର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ‌ଉକ୍ତ ସ୍ଥାନରେ କୌଣସି ଭେରିଫିକେସନ ବୈଠକ ନଥିଲା। ଗଣମାଧ୍ୟମରୁ ଶୁଣି ଜିଲ୍ଲା ଶ୍ରମ ଅଧିକାରୀ ଏନେଇ ଅବଗତ କରାଇଛନ୍ତି। ଖୁବ୍‌ଶୀଘ୍ର ଏହାର ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।