ମୁଖ୍ୟ ଖବର

ଲଗାଣ ବର୍ଷାରେ ଅନୁଗୁଳ ବେହାଲ: ନଦୀର ଭ୍ରମ ସୃଷ୍ଟି କରୁଛି ରାସ୍ତା, ପର ଘରେ ଆଶ୍ରୟ ନେଉଛନ୍ତି ସ୍ଥାନୀୟବାସୀ

By Angul TV Bureau

July 24, 2024

ଅନୁଗୁଳ: ଦୁଇ ଦିନ ହେଲା ପାଣି ଘେରରେ ଦିନ କାଟୁଛନ୍ତି ଅନୁଗୁଳ ପୌରପାଳିକାର ୯ ନମ୍ବର ୱାର୍ଡ ବାସୀ।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାରେ ଦୁଇ ଦିନ ହେଲା ଲଗାଣ ବର୍ଷା ହେଉଛି। ଫଳରେ ବର୍ଷା ପାଣି ବିଭିନ୍ନ ଅଞ୍ଚଳକୁ ଘେରି ରହିଛି। ଯୁଆଡେ ଚାହିଁବ ଖାଲି ପାଣି, ପାଣି ଆଉ ପାଣି। ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି ଚଳପ୍ରଚଳ କରୁଛନ୍ତି ଲୋକେ। ଅନୁଗୁଳ ପୌରପାଳିକାର ୯ ନମ୍ବର ୱାର୍ଡରେ ବାସ କରୁଥିବା ପ୍ରାୟ ୫୦୦ରୁ ଅଧିକ ଲୋକଙ୍କ ଅବସ୍ଥା ସମାନ। ଅନୁଗୁଳ ସହର ଯାକର ବର୍ଷା ପାଣି ୯ ନମ୍ବର ୱାର୍ଡ ଅଞ୍ଚଳରେ ପ୍ରବାହିତ ହେଉଛି। ଫଳରେ ସହର ମଝିରେ ନଦୀର ଭ୍ରମ ସୃଷ୍ଟି ହେଉଛି। ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ଲୋକଙ୍କ ଘରର କାନ୍ଥ ଭାଙ୍ଗି ଯାଉଛି। ଦୁଇ ଦିନ ହେଲା ଘର ସମସ୍ତ ଜିନିଷ ପତ୍ର ପାଣି ଭିତରେ ରହିଛି। ଫଳରେ ରୋଷେଇ କରିବା ବି ଅସମ୍ଭବ ହୋଇ ପଡ଼ିଛି। ନିଜ ଘରେ ପାଣି ପଶିଯାଇଥିବାରୁ ଲୋକେ ବାଧ୍ୟ ହୋଇ ଅନ୍ୟମାନଙ୍କ ଘରେ ଆଶ୍ରୟ ନେଉଛନ୍ତି।

ତେବେ ଜଳ ଘେରରେ ଥିବା ଲୋକେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି।