ଅନୁଗୁଳ: ଗତ ୨ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅନୁଗୁଳ ଜେଲ ସାମନାରୁ ଦୁଇଜଣ ଲୁଟେରା ଜଣେ ସେଲ୍ସ ଏଜେଣ୍ଟଙ୍କ ଠାରୁ ଅଭିନବ ଢଙ୍ଗରେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହେଇଚି।
ସୂଚନା ଯେ, ଦିଲ୍ଲୀ ଭିପି କାର୍ଡ୍ସର ସେଲ୍ସ ଏଜେଣ୍ଟ ନୋଇଡାର ରବିକେଶ କୁମାର ଶ୍ରୀବାସ୍ତବ ତାଳଚେରରୁ ବସରେ ଆସି ଅନୁଗୁଳ ବସ୍ ଷ୍ଟାଣ୍ଡରୁ ଚାଲି ଚାଲି ବଜାର ଆଡକୁ ଯାଉଥିବା ବେଳେ ଜେଲ ନିକଟରେ ଜଣେ ଯୁବକ ତାଙ୍କ କାନ୍ଧରେ ହାତ ମାରି ସାର ଡାକୁଛନ୍ତି କହିଥିଲା। ସାର ପରିଚୟ ଦେଉଥିବା ଲୋକ ଜେଲ କାନ୍ଥକୁ ଲାଗି ଠିଆ ହୋଇଥିଲା। ତା ପକେଟର ଉପରକୁ ଆଇକାର୍ଡର କିଛି ଅଂଶ ଦିଶୁଥିଲା। ସେଥିରେ ପୋଲିସ ଲେଖା ଯାଇଥିଲା। ଶ୍ରୀବାସ୍ତବଙ୍କୁ ଦ୍ଵିତୀୟ ବ୍ୟକ୍ତି ଆଗରେ ଗୋଟେ ମର୍ଡର ହୋଇଛି, ପୋଲିସ ପକ୍ଷରୁ ତଲାସୀ ନିଆଯାଉଛି କହି ତାଙ୍କ ବ୍ୟାଗ ଯାଞ୍ଚ କରିଥିଲା। ତା ପରେ ସେ ଶ୍ରୀବାସ୍ତବଙ୍କୁ
ସେ ପିନ୍ଧିଥିବା ସୁନା ଚେନ ଓ ସୁନା ମୁଦି କାଢି ବ୍ୟାଗରେ ପୁରାଇବାକୁ କହିଥିଲା। ଏଭଳି କଲେ ତୁମେ ନିରାପଦରେ ରହିବ ବୋଲି ବୁଝାଇ ଦେଇଥିଲା। ଏହି ସମୟରେ ଶ୍ରୀବାସ୍ତବ ଏକ ଭୁଲ କରି ବ୍ୟାଗ ଟିକୁ ଜେଲ କାନ୍ଥକୁ ଲାଗିଥିବା ଥାକରେ ରଖି ଦେଇଥିଲେ। ଏଇ ସୁଯୋଗରେ ପ୍ରଥମ ବ୍ୟକ୍ତି ଶ୍ରୀବାସ୍ତବଙ୍କୁ ତାଙ୍କ ପରିଚୟ ପଚାରିବା ବାହାନାରେ ଟିକେ ଦୂରକୁ ଘୁଞ୍ଚାଇ ନେଇଥିଲେ ଏବଂ ଦ୍ଵିତୀୟ ବ୍ୟକ୍ତି ବ୍ୟାଗରେ ହାତ ପୁରାଇ ଆଖିପିଛୁଳାକେ ସେଥିରେ ଥିବା ଏକ ଲକ୍ଷ ଚଉଦ ହଜାର ଟଙ୍କା ଓ ଚେନ ମୁଦି ଧରି ଫେରାର ହୋଇଯାଇଥିଲେ।
କିଛି କ୍ଷଣ ଭିତରେ ପ୍ରଥମ ଯୁବକ ମଧ୍ୟ ପଳାଇଥିଲେ।ଯୁବକଙ୍କ କଥାରେ ସନ୍ଦେହ କରି ଜେଲ ସାମନାରେ ଥିବା ଏକ ଜନ ସେବା କେନ୍ଦ୍ରକୁ ଯାଇ ବ୍ୟାଗ ଦେଖିଥିଲେ। ସେତେ ବେଳକୁ ସେ ଲୁଟର ଶିକାର ହୋଇ ସାରିଥିଲେ। ଶ୍ରୀବାସ୍ତବ ଏହାପରେ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ଏଥିନେଇ ତଦନ୍ତ ଆରମ୍ଭ ହୋଇଛି। ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି। ଲୁଟେରା ଦ୍ବୟ ହିନ୍ଦୀରେ କଥାବାର୍ତା କରୁଥିଲେ ବୋଲି ଜଣାପଡ଼ିଛି।