ତାଳଚେର: ତାଳଚେର ରେଳ ଷ୍ଟେସନ୍ ନିକଟରେ ଦୁର୍ବୃତ୍ତଙ୍କ ଦୁଇ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରେଳ କର୍ମଚାରୀ ଶିବଶଙ୍କର କୁମାରଙ୍କ ମାଛ ଗୋଦାମ ନିକଟ ଭଡ଼ାଘରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରବେଶ କରି ୧୫ ଗ୍ରାମ୍ ସୁନାଚେନ୍, ରୂପା ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ସୋମବାର ଡ୍ୟୁଟି ସରି ଫେରି ଆଲମାରି ଭଙ୍ଗା ଓ ଜିନିଷ ବିଛାଡ଼ି ଥିବା ଦେଖି ଶିବଶଙ୍କର କୋଲିୟାରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି।
ସେହିପରି ନିକଟରେ, ଜୈନିକାରୁ ତାଳଚେର ଆସୁଥିବା ଜଣେ ମହିଳାଙ୍କ ବ୍ୟାଗ୍ରୁ ଦୁଇ ଦୁର୍ବୃତ୍ତ ସୁନାଚେନ୍ ଝାମ୍ପି ନେଇ ଫେରାର୍ ହେବାକୁ ଚେଷ୍ଟା କରିଥିଲେ। ପାଖରେ ଥିବା ଯୁବକମାନେ ମହିଳାଙ୍କ ଚିତ୍କାର ଶୁଣି ଦୁର୍ବୃତ୍ତଙ୍କୁ ଧରି ଜିଆରପି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଶୂନଶାନ ଅଞ୍ଚଳରେ ଦୁର୍ବୃତ୍ତ କାର୍ଯ୍ୟ ବଢ଼ୁଥିବାରୁ ସ୍ଥାନୀୟ ପୋଲିସ୍ ଓ ଜିଆରପି ମିଳିତ ପାଟ୍ରୋଲିଙ୍ଗ କଡ଼ାକଡ଼ି କରି ଯାତ୍ରୀ ସୁରକ୍ଷା ନିଶ୍ଚିତ କରିବାକୁ ସାଧାରଣରେ ଦାବି ଉଠିଛି।