ମୁଖ୍ୟ ଖବର

ତାଳଚେରରେ ପୁଣି ଧସିଲା ମାଟି

By Angul TV Bureau

November 19, 2026

ଅନୁଗୋଳ: ତାଳଚେରରେ ଭୂଗର୍ଭ ସୁରକ୍ଷାକୁ ନେଇ ପୁଣି ଉଦ୍‌ବେଗ ସୃଷ୍ଟି ହୋଇଛି। ହାଣ୍ଡିଧୁଆ ଅଞ୍ଚଳରେ ପୁଣି ମାଟି ଧସି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରାୟ ୨୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀରର ଏହି ଗର୍ତ୍ତକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଖଣି ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ହାଣ୍ଡିଧୁଆ ଅଞ୍ଚଳରେ  ପୁଣି ମାଟି ଦବିଯାଇଥିଲା। ଫଳରେ ସେଠାରେ ପ୍ରାୟ ୨୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀରର ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଜଣା ପଡ଼ିବା ପରେ ଖଣି କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଧସିଥିବା ସ୍ଥାନକୁ ବ୍ୟାରିକେଡ୍‌ କରି ଆବଦ୍ଧ କରିଛନ୍ତି।

ଏ ସମ୍ପର୍କରେ ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞାନନନ୍ଦ ଗିରି କହିଛନ୍ତି ଯେ, ହାଣ୍ଡିଧୁଆ ଭୂତଳ କୋଇଲା ଖଣି ବହୁ ପୁରୁଣା। ଏହି ଅଞ୍ଚଳରେ ମାଟି ଧସିବା ଘଟଣା ସମ୍ପର୍କରେ ପ୍ରଶାସନ ଅବଗତ ଅଛି। ଘଟଣାର ତଦାରଖ ଓ ବୈଜ୍ଞାନିକ ଅନୁଧ୍ୟାନ ପାଇଁ ଧାନବାଦରୁ ଏକ ବିଶେଷଜ୍ଞ ଦଳ ଆସିଛନ୍ତି। ମାଟି ଧସିବାର ପ୍ରକୃତ କାରଣ ଖୋଜିବା ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବା ଦିଗରେ ଅନୁଧ୍ୟାନ ଜାରି ରହିଛି।