ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ନିର୍ମାଣ ହେବାକୁ ଥିବା ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପାଇଁ ଶନିବାର ଜମି ଚିହ୍ନଟ ହୋଇଛି। ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଡାକ ବଙ୍ଗଳାକୁ ଉଚ୍ଛେଦ କରାଯାଇଥିବା ବେଳେ ଆଉ ନିର୍ମାଣ ହୋଇପାରି ନଥିଲା।
ଏନେଇ ବରିଷ୍ଠ ବିଜେପି ନେତା ଅରବିନ୍ଦ ସାହୁ ବୁଧବାର ଦିନ ଅନୁଗୁଳ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଶନିବାର ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କିଶୋରନଗର ତହସିଲ ବିଭାଗ ପକ୍ଷରୁ ଜମି ଚିହ୍ନଟ କରାଯାଇଛି। ନୁନୁକାପସି ମୌଜାରେ ଥିବା ସରକାରୀ ଜମିରୁ ଖାତା ନମ୍ବର ୧୧୪/୮୬୫ ରେ ଗୋଟିଏ ଏକର ଜମି ଯୋଗାଇ ଦିଆଯାଇଛି।
ଏଥି ପାଇଁ ଅଟକଳ ରହିଛି ୫୬ ଲକ୍ଷ ଟଙ୍କା। କିଶୋରନଗର ତହସିଲର ଅମିନ ଜପୁନ କୁମାର ପ୍ରଧାନ, ବଇଣ୍ଡା ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ପ୍ରଧାନ, ହଣ୍ଡପା ରାଜସ୍ୱ ନିରୀକ୍ଷକ ଦୁଷ୍ମନ୍ତ କୁମାର ବେହେରା, ବଇଣ୍ଡା ରାଜସ୍ୱ କାର୍ଯ୍ୟାଳୟର ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଜମି ଚିହ୍ନଟ କରିଛନ୍ତି। ଜମିକୁ କିଭଳି ରାସ୍ତା ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର ବିକ୍ରମ ନାୟକ।