ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ଥ ଜାତୀୟ ରାଜପଥ କଡ଼ର କ୍ଷତିଗ୍ରସ୍ତ ପ୍ରଜା ନିଜର ନାର୍ଯ୍ୟ ଦାବି ପୂରଣ ପାଇଁ ଏକ ପ୍ରଜା ବୈଠକ ଆୟୋଜନ କରିଛନ୍ତି।
ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ତାଳଚେର ଗୋଡ଼ିବନ୍ଧରୁ ବଅଁରପାଳ ଛକ ଓ ବଅଁରପାଳ ଛକରୁ ନୂଆହତା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ହେବ। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟକ୍ଷତି ହେଉଛି। ତେଣୁ ଏହି କାର୍ଯ୍ୟରେ କ୍ଷତିଗ୍ରସ୍ତ ପ୍ରଜା ପ୍ରତିବନ୍ଧକ ସାଜିବେ ନାହିଁ। କିନ୍ତୁ ଜାତୀୟ ରାଜପଥ ବିଭାଗ ଜାଗା ଅଧିଗ୍ରହଣ ପାଇଁ ଯେଉଁ ବେଆଇନ କାର୍ଯ୍ୟ ପନ୍ଥା ଗ୍ରହଣ କରୁଛି।
ତା ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜାଙ୍କର କ୍ଷତି ହେଉଛି। ଜାତୀୟ ରାଜପଥ ବିଭାଗର ଅଧିକାରୀ ମାନେ ଘର ଘର ବୁଲି ନୋଟିସ ଦେଇ ଜୋରଜବରଦସ୍ତ ଦସ୍ତଖତ ମାରିବା ପାଇଁ ଭୟଭୀତ କରାଉଛନ୍ତି। ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।