ମୁଖ୍ୟ ଖବର

ସ୍କୁଲ ଜାଗାକୁ ନିଜ ଜାଗା ଦାବି କରି ଗେଟରେ ତାଲା ପକାଇଲେ ଜମି ମାଲିକ, ଗଛ ମୂଳରେ ପଢ଼ିଲେ କୁନି ଛାତ୍ରଛାତ୍ରୀ

By Sanjeeb Biswal

September 04, 2024

ଅନୁଗୁଳ: ସ୍କୁଲ ଜାଗାକୁ ନିଜ ଜାଗା ଦାବି କରି ଗେଟରେ ତାଲା ପକାଇଲେ ଜମି ମାଲିକ। ବାଧ୍ୟ ହୋଇ ଗଛ ମୂଳରେ ପଢ଼ିଲେ କୁନି ଛାତ୍ରଛାତ୍ରୀ। ଫଳରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ଅଭିଭାବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ସାନରୋହିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ସୂଚନା ମୁତାବକ, ଜାଗା ବିବାଦକୁ ନେଇ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସାନରୁଇଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଘେରାବନ୍ଦୀ କରି ଜଣେ ବ୍ୟକ୍ତି ଗେଟରେ ତାଲା ପକାଇ ଦେଇଛନ୍ତି। ଫଳରେ ଉପାୟ ଶୂନ୍ୟ ହୋଇ ସ୍କୁଲକୁ ପାଠ ପଢ଼ିବା ପାଇଁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସର ସମ୍ମୁଖରେ ଥିବା ବର ଗଛ ମୂଳେ ପାଠ ପଢ଼ାଉଥିବା ଦେଖାଯାଇଛି। ଏ ନେଇ ଜାଣିବା ପରେ ସ୍କୁଲର ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାଗା ବିବାଦର ସ୍ଥାୟୀ ସମାଧାନ ସହିତ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଅଭିଭାବକ ଓ ଗ୍ରାମବାସୀ ଗଛ ପକାଇ ରଣିଆକଟା-କଦଳୀମୁଣ୍ଡା ଆରଡି ରାସ୍ତାକୁ ଅବରୋଧ କରି ଧାରଣା ଦେଇଥିଲେ।

ଖବର ପାଇ କିଶୋର ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଲକୁ ଘେରାବନ୍ଦୀ କରି ତାଲା ପକାଇଥିବା ବ୍ୟକ୍ତିଙ୍କୁ ଡାକି ବୁଝାସୁଝା କରି ତାଲା ଖୋଲିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ତେବେ ଏହି ଜାଗା ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି।