ମୁଖ୍ୟ ଖବର

ଜମି ମାଲିକଙ୍କୁ ଶୀଘ୍ର ମିଳିବ କ୍ଷତିପୂରଣ: ଜିଏମଡିସି ଅନୁଗୁଳ

By Biswaranjan Pattnaik

March 31, 2025

ଅନୁଗୁଳ: ଓଡ଼ିଶାର ବିକାଶକୁ ଆଗେଇ ନେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଗୁଜରାଟ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ ଲିମିଟେଡ୍ (ଜିଏମଡିସି)ର ପରିଚାଳନା ନିର୍ଦ୍ଦେଶକ ରୂପବନ୍ତ ସିଂହ ଗତ ଗୁରୁବାର, ମାର୍ଚ୍ଚ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଲୋକ ସେବା ଭବନରେ ଭେଟିଥିଲେ। ଏହି ବୈଠକରେ ରାଜ୍ୟରେ ଜିଏମଡିସି ଦ୍ୱାରା ପରିଚାଳିତ କୋଇଲା ଖଣିଗୁଡ଼ିକର ସ୍ଥିତି ଓ ପ୍ରଗତି ବିଷୟରେ ଆଲୋଚନା ହୋଇଥିଲା । ଏହା ସହ ଜିଏମଡିସି ପକ୍ଷରୁ ଓଡ଼ିଶାରେ ଏକ ଆଧୁନିକ ଚିକିତ୍ସାଳୟ, ଦୁଇଟି ବିଦ୍ୟାଳୟ ଓ ଏକ ଆଇଟି ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ।

ଜିଏମଡିସି ଅନୁଗୁଳ ଜିଲ୍ଲାର ବୈତରଣୀ ପଶ୍ଚିମ କୋଇଲା ଖଣି ଏବଂ ସୁନ୍ଦରଗଡ଼ ଜିଲ୍ଲାର ବୁରାପାହାଡ଼ କୋଇଲା ଖଣି ପରିଚାଳନା କରୁଛି। ବର୍ତ୍ତମାନ ଜିଏମଡିସି ବୈତରଣୀ ପଶ୍ଚିମ କୋଇଲା ଖଣି ପ୍ରକଳ୍ପ ଦ୍ବାରା ପ୍ରଭାବିତ ଜମି ମାଲିକଙ୍କୁ କ୍ଷତିପୂରଣ ମୂଲ୍ୟ ପ୍ରଦାନ କରିବା ପାଇଁ ସମସ୍ତ ପଦକ୍ଷେପ ନେଇସାରିଥିବା ଜଣାଇଛି, ଯାହା କମ୍ପାନୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ଏକ ସକାରାତ୍ମକ ସଙ୍କେତ ଦେଇଛି।

ଏହି ପ୍ରକଳ୍ପ ଅଧୀନରେ ହାଣ୍ଡିଗୋଡା ସ୍ଥିତ ୪୯.୬ ହେକ୍ଟର ସରକାରୀ ଜମିର ଅଧିଗ୍ରହଣ ପାଇଁ ଜିଏମଡିସି କମ୍ପାନୀ ରାଜ୍ୟ ସରକାରଙ୍କୁ ୩୪ କୋଟି ୨୦ ଲକ୍ଷ ୭୩ ହଜାର ଟଙ୍କା ପ୍ରଦାନ କରି ସାରିଛି। ବର୍ତ୍ତମାନ କମ୍ପାନୀ ପ୍ରଭାବିତ ଚେଣ୍ଡିପଦାର ଅଞ୍ଚଳର ବ୍ୟକ୍ତିଗତ ଜମି ମାଲିକଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତ ହେଉଛି। ଜିଏମଡିସିର ପ୍ରକଳ୍ପ ମୁଖ୍ୟ କହିଛନ୍ତି, “ଆମେ ସାମାଜିକ ସର୍ଭେ ଏବଂ ୟାଦସ୍ତ ସମେତ ଆବଶ୍ୟକୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ସାରିଛୁ ଏବଂ ଜମି ମାଲିକଙ୍କୁ କ୍ଷତିପୂରଣ ଦେବା ପାଇଁ ପଦକ୍ଷେପ ନେଉଛୁ। ବହୁତ ଶୀଘ୍ର ପ୍ରଥମ ପର୍ଯ୍ୟାୟରେ କିଛି ଜମି ମାଲିକଙ୍କୁ ସେମାନଙ୍କ କ୍ଷତିପୂରଣ ମିଳିବ।”

ଏହି ଘୋଷଣା ପରେ ଅନେକେ ସ୍ଥାନୀୟ ବାସିନ୍ଦା ଶୀଘ୍ର କ୍ଷତିପୂରଣ ପାଇବା ଖବରରେ ଖୁସି ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁ ଥିବା ପରିବାରଙ୍କ ପାଇଁ ମଧ୍ୟ ଜିଏମଡିସି ଏକ ପୁନର୍ବାସନ ଓ ପୁନଃସ୍ଥାପନ (ଆରଏଣ୍ଡଆର) ଯୋଜନା ପ୍ରସ୍ତୁତ କରୁଛି ।